Latest Odisha News

ଗୃହରେ ଗନ୍ଧମାର୍ଦ୍ଦନ ଝଡ: ମନ୍ତ୍ରୀ କହିଲେ, ପୂର୍ବ ସରକାର ଦେଇଥିଲେ, ଆମେ ଇଞ୍ଚିଏ ଦେବୁନି…

ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବା ପ୍ରସଙ୍ଗକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ଏହାକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଉଦବେଗ ପ୍ରକାଶ କରିଥିବା ବେଳେ କଡା ମନ୍ତବ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । କହିଛନ୍ତି ଆଦାନୀକୁ ପୂର୍ବ ସରକାର ଅନୁମତି ଦେଇଥିଲେ ଆମେ ନୁହେଁ, ହେଲେ ଆମ ସରକାରରେ ସେ କାମ କରିପାରିବ ନାହିଁ । ଯଦି କରେ ତାହାଲେ ଜନ ଆନ୍ଦୋଳନ ଦେଖାଦେବ ।

ତେବେ ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସସାଇଟ ଖଣି ଖନନ ନେଇ ପୂର୍ବରୁ ଅନେକ ଥର ଚେଷ୍ଟା ହୋଇଥିଲେ ମଧ୍ୟ ସେଠିକା ଲୋକଙ୍କ ପ୍ରତିବାଦ ପାଇଁ ପ୍ରତି ଥର ଏହି ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ହେଲେ ଏବେ ପୁଣି ଆଦାନୀ ଗ୍ରୁପ ଏହା ଉପରେ କାମ କରୁଥିବା ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଯାହାକୁ ନେଇ ବିରୋଧୀ ଦଳ ଉପନେତା ଗୃହରେ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁମତି ପ୍ରତ୍ୟାହାର କରିନେଇଥିଲେ । ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ ଆଦାନୀ ହାତକୁ ଟେକି ଦେବାକୁ ଯାଉଛନ୍ତି । ଯେଉଁଠି ସରକାର ପରିବେଶର ମଙ୍ଗଳ ପାଇଁ ଜଙ୍ଗଲ ସୃଷ୍ଟି କରିବା କଥା ତାହାକୁ ସରକାର ନଷ୍ଟ କରିବାକୁ ବସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଜନଆନ୍ଦୋଳନ ଆରମ୍ଭ କଲେଣି । ଏହାସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

ଯାହା ଉତ୍ତରରେ କଡା ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି,  ଆଦାନୀକୁ ଜମି କିଣିବାକୁ  ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ । ହେଲେ ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ କି ଆଦାନୀଙ୍କୁ କାରଖାନା ନିର୍ମାଣ ପାଇଁ ସରକାର ଅନୁମତି ଦେବେନାହିଁ । ଗନ୍ଧମାର୍ଦ୍ଦନ ପାହାଡର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ  ବୋଲି ସ୍ପଷ୍ଟ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ଯଦି ମୋହନ ସରକାର ଆଦାନୀକୁ ଜମି ଦେବା ପାଇଁ ଯୋଜନା କରନ୍ତି ତେବେ ସେ ନିଜେ ଜନଆନ୍ଦୋଳନରେ ସାମିଲ ହେବେ ବୋଲି କହି ଚେତାବନୀ ଦେଇଛନ୍ତି କେଭି ସିଂ ଦେଓ ।

Leave A Reply

Your email address will not be published.