Latest Odisha News

ବାଂଲାଦେଶରେ ‘ୟୁନୁସ’ ଫର୍ମୁଲା ଫେଲ୍ !

ନୂଆଦିଲ୍ଲୀ: କଟ୍ଟରପନ୍ଥୀଙ୍କ ହାତରେ କଣ୍ଢେଇ ସାଜିଛନ୍ତି ମହମ୍ମଦ ୟୁନୁସ ! କ୍ଷମତା ବଦଳର ୪ମାସ ପରେ ବି ଅଶାନ୍ତ ବାଂଲାଦେଶ । ରାଜନୈତିକ ହଟଚମଟ ମଧ୍ୟରେ ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ ଶେଖ ହାସିନା । ବିଦ୍ରୋହ, ଆନ୍ଦୋଳନ ମଧ୍ୟରେ ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ହେଲେ ମହମ୍ମଦ ୟୁନୁସ । ଆଶା କରାଯାଉଥିଲା, ଏହାପରେ ଟ୍ରାକକୁ ଆସିବ ଦେଶର ରାଜନୈତିକ, ଆର୍ଥିକ ଓ ସାମାଜିକ ବ୍ୟବସ୍ଥା । ହେଲେ ସେମିତି କିଛି ବି ହେଲାନି । ଓଲଟା ବାଂଲାଦେଶରେ ଅଶାନ୍ତି ଲାଗିରହିଛି । ଆର୍ଥିକ ହେଉ କି ବୈଦେଶିକ ନୀତି ହସିନାଙ୍କ ଅମଳର ଶାସନ ବ୍ୟବସ୍ଥା ଏବେଠାରୁ ଅପେକ୍ଷାକୃତ ଭଲ ଥିଲା। ତେବେ ପ୍ରଶ୍ନ ଉଠୁଛି, ବାଂଲାଦେଶରେ ଫେଲ୍ ମାରିଲା କି ୟୁନୁସ ଫର୍ମୁଲା?

କ୍ଷମତା ପରିବର୍ତ୍ତନ ପଛର କାହାଣୀ

ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଜୁନ ମାସରୁ ଲଗାତର ବିକ୍ଷୋଭ ହେଉଥିଲା । ସଂରକ୍ଷଣ ନୁହେଁ ବରଂ ଯୋଗ୍ୟତା ଆଧାରରେ ଚାକିରି ଦେବାକୁ ଦାବି ହେଉଥିଲା । ୧୯୭୧ ଆନ୍ଦୋଳନରେ ଭାଗ ନେଇଥିବା ଆନ୍ଦୋଳନକାରୀଙ୍କ ବଂଶଜଙ୍କ ପାଇଁ ଏକତୃତୀୟାଂଶ ପଦ ସଂରକ୍ଷିତ ଥିଲା । ଏହାକୁ ନେଇ ଶେଖ ହସିନାଙ୍କୁ ଘେରିଥିଲେ ଆନ୍ଦୋଳନକାରୀ । ବିକ୍ଷୋଭ ଧୀରେ ଧୀରେ ଉଗ୍ର ରୂପ ନେଲା, ଫଳରେ ଅଗଷ୍ଟ ୫ତାରିଖରେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହେଲା । ଏହାପରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରଙ୍କ ମୁଖ୍ୟ ଉପଦେଷ୍ଟା କରାଗଲା । ୟୁନୁସଙ୍କ ଦାୟିତ୍ବ ଦେବା ପରେ ଆଶା କରାଯାଉଥିବା ବାଂଲାଦେଶର ଇମେଜ ବଦଳିବ । ହେଲେ ଦେଶର ଆଇନ ଶୃଙ୍ଖଳା ପୂର୍ବ ଅପେକ୍ଷା ଆହୁରି ବିଗିଡିଗଲା ।

ଅଳ୍ପସଂଖ୍ୟକଙ୍କ ସୁରକ୍ଷା ପ୍ରସଙ୍ଗ

କ୍ଷମତା ପରିବର୍ତ୍ତନ ପରଠୁ ବାଂଲାଦେଶ ଅଳ୍ପସଂଖ୍ୟକଙ୍କ ଉପରେ ଲଗାତର ହିଂସାକୁ ନେଇ ଚର୍ଚ୍ଚାରେ ରହିଛି । ଅଳ୍ପସଂଖ୍ୟକଙ୍କୁ ଶେଖ ହସିନାଙ୍କ ଦଳ ଆଓ୍ବାମି ଲିଗର ସମର୍ଥକ ଭାବେ ଦେଖାଯାଏ । ତେଣୁ ସରକାର ବଦଳ ପରେ ସେମାନଙ୍କ ଉପରେ ହିଂସା ବଢିଥିବା କୁହାଯାଉଛି । ହିନ୍ଦୁଙ୍କ ପାଇଁ ସ୍ବର ଉଠାଇ ଧର୍ମଗୁରୁ ଚିନ୍ମୟ ଦାସ ଗିରଫ ହୋଇଛନ୍ତି ତ ଇସ୍କନର ୧୭ ଅଧିକାରୀଙ୍କ ବ୍ୟାଙ୍କ ଖାତା ଫ୍ରିଜ କରାଯାଇଛି । ଇସ୍କନକୁ ଟାର୍ଗେଟ୍ କରି ବାଂଲାଦେଶ ସାରା ବିଶ୍ବରେ ନିଜ ଛବି ଖରାପ କରିଛି ।

କେମିତି ରହିଛି ଅର୍ଥ ବ୍ୟବସ୍ଥା?

ଅର୍ଥନୀତି କ୍ଷେତ୍ରରେ ନିଜ ପ୍ରୟାସ ପାଇଁ ହିଁ ନୋବେଲ ପୁରସ୍କାର ପାଇଥିଲେ ମହମ୍ମଦ ୟୁନୁସ । ସେ ଅନ୍ତରୀଣ ସରକାରର ଦାୟିତ୍ବ ନେବା ପରେ ବାଂଲାଦେଶର ଅର୍ଥନୈତିକ ସ୍ଥିତିରେ ସୁଧାର ଆଶା କରାଯାଉଥିଲା । କାରଣ କରୋନା ପରଠୁ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଥିଲା । ତେବେ ୟୁନୁସ ଆସିବା ପରେ ସେଭଳି କୌଣସି ନୀତି ଅଣାଯାଇନାହିଁ । ଓଲଟା ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି ।

କେମିତି ରହିଛି ବୈଦେଶିକ ନୀତି?

ବୈଦେଶିକ ନୀତିକୁ ନେଇ ବି ବାଂଲାଦେଶରେ ସେଭଳି କିଛି ନୂଆ ପଦକ୍ଷେପ ନିଆଯାଇନି । ଭାରତ ପ୍ରତି ଆବଶ୍ୟକତାଠାରୁ ଅଧିକ କୋହଳ ମନୋଭାବକୁ ନେଇ ସମାଲୋଚିତ ହେଉଥିଲେ ଶେଖ୍ ହସିନା ସରକାର । ମହମ୍ମଦ ୟୁନୁସ ଦାୟିତ୍ବ ନେବା ପରେ ପଡୋଶୀ ଦେଶ ସହ ଭଲ ସଂପର୍କ ରଖିବାକୁ ଗୁରୁତ୍ବ ଦେଇଥିଲେ । ହେଲେ ଏହାର ଓଲଟା ଦେଖିବାକୁ ମିଳୁଛି । କେବଳ ଭାରତ ନୁହେଁ ଅନ୍ୟ ପଡୋଶୀ ଦେଶ ସହ ବି ବାଂଲାଦେଶର ଭଲ ସଂପର୍କ ନାହିଁ । ପାକିସ୍ତାନ ସହ ଆରମ୍ଭରୁ ସଂପର୍କ ଭଲ ନଥିଲା ତ ମିଆଁମାରରୁ ଆସୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ବାଂଲାଦେଶ ଚିନ୍ତାରେ ।

ବାଂଲାଦେଶରେ ନିର୍ବାଚନ କେବେ?

ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ହେବା ପରେ ଆଶା କରାଯାଉଥିଲା ୩ମାସ ଭିତରେ ବାଂଲାଦେଶରେ ନିର୍ବାଚନ ହେବ । ହେଲେ ୪ମାସ ବିତିଥିଲେ ବି ନିର୍ବାଚନ ତାରିଖ ନେଇ କୌଣସି ଚର୍ଚ୍ଚା ଆଲୋଚନା ବି ନାହିଁ । ଏପରିକି ଶେଖ୍ ହାସିନାଙ୍କ ଦଳ ଆଓ୍ବାମି ଲିଗକୁ ବ୍ୟାନ କରିବାକୁ ବି ଉଦ୍ୟମ ହେଉଥିବା କୁହାଯାଉଛି । ଯଦି ଏଭଳି ହୁଏ ତେବେ ଦେଶରେ ବାଂଲାଦେଶ ନ୍ୟାସନାଲ ପାର୍ଟି ଛଡା ଅନ୍ୟ କୌଣସି ବିକଳ୍ପ ରହିବନି । ଯାହା ଗଣତାନ୍ତ୍ରିକ ଦେଶ ପାଇଁ ଭଲ ନୁହେଁ ।

Leave A Reply

Your email address will not be published.