Latest Odisha News

ମାଣ୍ଡିଆ ସୁପ୍ : ଦେହକୁ ହିତ, ପାଟିକୁ ସୁଆଦ

ଭୁବନେଶ୍ବର: ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆରେ ଅଧିକ ଫାଇବର,ମିନରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଏକାଧିକ ଭିଟାମିନ୍, କ୍ୟାଲସିୟମ ସହ ଏହା ଔଷଧୀୟଗୁଣ ରହିଛି । ତେବେ ଆପଣ ଶୀତଦିନରେ ଏହି ମାଣ୍ଡିଆକୁ ନେଇ ଏପରି ଏକ ସୁପ୍ ପ୍ରସ୍ତୁତ କରିପାରିବେ ,ଯାହାକୁ ପିଇବା ପରେ ଶୀତକୁ ଭୁଲିଯିବେ ।
ତେବେ ଆସନ୍ତୁ ଜାଣିବା ମାଣ୍ଡିଆ ସୁପର ପ୍ରସ୍ତୁତି ପ୍ରଣାଳୀ :-

ସାମଗ୍ରୀ-
୧/୩ କପ୍ ଗାଜର କଟା (ଛୋଟ ଛୋଟ କରି କାଟିବେ)
୧/୩ କପ୍ ଶିମଳା ଲଙ୍କା କଟା ( ଛୋଟ ଛୋଟ କରି କାଟିବେ)
୧/୩ କପ୍ ବନ୍ଧାକୋବି/ଫୁଲକୋବି କଟା ( ଛୋଟ ଛୋଟ କରି କାଟିବେ)
୧/୩ କପ୍ ବିନସ୍ କଟା ( ଛୋଟ ଛୋଟ କରି କାଟିବେ)
୧ଟି ପିଆଜ ( ଛୋଟ ଛୋଟ କରି କାଟିବେ)
୧/୪ କଞ୍ଚା ମଟର
୩ ଚାମଚ ମାଣ୍ଡିଆ ଚୁନା
ପାଣି
ଖାଇବାତେଲ
ଜୀରା
୧ ଚାମଚ କଟା ଅଦା
୧ ଚାମଚ କଟା ରସୁଣ
୧ଟି ଟମାଟୋ କଟା
ଧନିଆପତ୍ର
ଲୁଣ
୧/୩ ଗୋଲିମରିଚ ଗୁଣ୍ଡ
୨ ଚାମଚ ଲେମ୍ବୁ ରସ

ପ୍ରସ୍ତୁତି-

ପ୍ରଥମେ ଗୋଟିଏ ଛୋଟ ଗିନାରେ ୩ ଚାମଚ ମାଣ୍ଡିଆ ଚୁନା ନେବା , ସେଥିରେ ୧/୩ କପ୍ ପାଣି ଦେଇ ତାକୁ ଚାମଚ ଦ୍ବାରା ଘାଣ୍ଟିବା । ମାଣ୍ଡିଆ ପାଣିରେ ମିଶିବାକୁ ଟିକେ ସମୟ ନେଇଥାଏ । ଏହାପରେ ଗ୍ୟାସ ଅନ୍ କରି କଢେଇ ବସେଇବା । ସେଥିରେ ଅଳ୍ପ ଖାଇବାତେଲ ଢାଳିବା । ତେଲ ଗରମ ହେଇଗଲେ ଜୀରା, କଟା ଅଦା, କଟା ରସୁଣ ପକେଇକି ଅଧା ମିନିଟ୍ ଯାଏଁ ଭାଜି ଦେବା । ଏବେ କାଟି ରଖିଥିବା କଟା ପରିବା, ପିଆଜ ପକେଇ ଆଞ୍ଚକୁ କମ୍ କରିଦେବା । ଦୁଇ ତିନି ମିନିଟ୍ ଭାଜିଲା ପରେ ଏଥିରେ କଟା ଟମାଟୋ ଦେଇ 3କପ୍ ଆଉ ଅଧା କପ୍ ପାଣି ଦେବା ଓ ସ୍ବାଦଅନୁସାରେ ଲୁଣ ପକେଇଦେବା । ଆଞ୍ଚକୁ ବଢେଇଦେଇ ଏହାକୁ ୭/୮ ମିନିଟ୍ ଯାଏଁ ଫୁଟାଇବା ।
ଏହାପରେ କମ୍ ଆଞ୍ଚ କରି ମାଣ୍ଡିଆ ଘୋଳକୁ କଢେଇରେ ଦେଇ ଟିକେ ଘାଣ୍ଟିବା । ପୁଣି ୭/୮ ମିନିଟ୍ ଯାଏଁ ଫୁଟାଇବା । ତେବେ ଏହି ସମୟରେ ଦେଖିବା ସୁପରେ ଫେଣ ଭାସୁଥିବ , ଏହାକୁ ଚାମଚରେ ବାହର କରିଦେବା । ଫେଣ ରହିଲେ ସ୍ବାଦ ଭଲ ଆସିନଥାଏ । କିଛି ସମୟ ପରେ ସୁପ୍ ଟିକେ ବହଳିଆ ଦେଖାଯିବ । ଏବେ ଗ୍ୟାସ ବନ୍ଦ କରି ଗୋଲିମରିଚ ଗୁଣ୍ଡ, ଲେମ୍ବୁ ରସ ଦେବା ଓ କଟା ଧନିଆ ପତ୍ର ପକାଇଦେଇ ଘାଣ୍ଟି ଦେବା । ଏବେ ଆପଣଙ୍କ ସୁପ୍ ରେଡି । ଆପଣ ନିଜେ ଖାଆନ୍ତୁ ଓ ଅନ୍ୟକୁ ଖୁଆନ୍ତୁ ଗରମା ଗରମ ‘ମାଣ୍ଡିଆ ସୁପ୍’।

Comments are closed.