ନୂଆଦିଲ୍ଲୀ: ଆମେରିକା ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦, ୨୦୨୫ରେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ଆଇନଗତ ଓ ବେଆଇନ ଭାବରେ ଅନ୍ୟ ଦେଶରୁ ଆମେରିକା ଆସୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଏହି ବିଷୟ ଉପରେ ଆଲୋଚନା କରିଥିଲେ। ତେବେ ବର୍ତ୍ତମାନ ସେ ବାର୍ଥ ରାଇଟ୍ ସିଟିଜେନସିପ ନିୟମକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ଆମେରିକାରେ ଜନ୍ମିତ ପିଲାମାନେ ନାଗରିକତ୍ୱ ପାଇପାରିବେ ନାହିଁ।
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଆମେରିକାରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ବାର୍ଥ ରାଇଟ ସିଟିଜେନସିପ କ’ଣ ଏବଂ ଏହା ଭାରତ ଉପରେ କି ପ୍ରଭାବ ପକାଇବ?
ଆମେରିକାର ଏହି ନିୟମ ଅନୁସାରେ ସେଠାରେ ଜନ୍ମ ଗ୍ରହଣ କରିଥିବା ଯେ କୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ।
ପ୍ୟୁ ରିସର୍ଚ୍ଚ ଅନୁଯାୟୀ ପ୍ରାୟ ୪୮ ଲକ୍ଷ ଭାରତୀୟ-ଆମେରିକୀୟ ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ। କାରଣ ଏଥିମଧ୍ୟରୁ ୧୬ ଲକ୍ଷ ଲୋକ କେବଳ ଆମେରିକାରେ ଜନ୍ମ ଗ୍ରହଣ କରିଛନ୍ତି। ଏହି ନୂଆ ନିୟମ ଦ୍ୱାରା ସେମାନେ ଆଉ ଆମେରିକାର ନାଗରିକ ହୋଇ ରହିପାରିବେ ନାହିଁ। ଏହି ନିୟମ ରଦ୍ଦ ହେବା ପରେ ପରିବାର ସବୁ ଅଲଗା ହୋଇଯିବେ ଏବଂ ଯେଉଁମାନଙ୍କର ନାଗରିକତା ନାହିଁ ସେମାନଙ୍କୁ ନିଜ ଦେଶକୁ ମଧ୍ଯ ଫେରିଯିବାକୁ ପଡିବ।
ଆମେରିକୀୟ ଇମିଗ୍ରେସନ କାଉନସିଲର ୨୦୧୧ର ଏକ ଫ୍ୟାକ୍ଟ୍ ସିଟ୍ ରେ ଦର୍ଶାଇଥିଲେ ଯେ ଆମେରିକାର ନାଗରିକତ୍ୱ କେବଳ ଜନ୍ମ ପ୍ରମାଣପତ୍ର ଦ୍ୱାରା ପ୍ରମାଣିତ ହେଉଥିବାରୁ ନାଗରିକତ୍ୱ ପ୍ରମାଣ କରିବା କଷ୍ଟସାଧ୍ୟ ହୋଇପଡିବ। ସେଥିରେ ଆହୁରି ମଧ୍ଯ କୁହାଯାଇଛି ଏହି ନିୟମକୁ ପ୍ରତ୍ୟାହାର କରିବା ଦ୍ୱାରା ଲକ୍ଷ ଲକ୍ଷ ଆମେରିକୀୟ ପିଲା ପ୍ରଭାବିତ ହେବେ ଏବଂ ଏହା ସରକାରଙ୍କ ପାଇଁ ବାଧା ମଧ୍ଯ ସୃଷ୍ଟି କରିବ। ତେଣୁ ଯଦି ଡୋନାଲ୍ଡ ଟ୍ରମ୍ପ ଏହି ନିୟମକୁ ରଦ୍ଦ କରନ୍ତି, ତେବେ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବ।