Latest Odisha News

ପୁଷ୍ପାରାଜଙ୍କୁ ଅଟକାଇ ପାରିଲାନି ପୋଲିସ୍, ମିଳିଲା ବେଲ୍

ହାଇଦ୍ରାବାଦ୍:  ଅନ୍ତରୀଣ ଜାମିନରେ ଆସିଲେ ଅଲ୍ଲୁ ଅର୍ଜୁନ୍ । ଗିରଫର ୫ ଘଣ୍ଟା ପରେ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ତେଲଙ୍ଗାନା ହାଇକୋର୍ଟ ।  ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ତଳକୋର୍ଟର ନିର୍ଦ୍ଦେଶରେ ଆଜି ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ଜେଲକୁ ନେଇଥିଲା ହାଇଦ୍ରାବାଦ୍ ପୋଲିସ୍ । ଆଉ ଏବେ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛି ।

ତେବେ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ଥିଏଟରରେ ଅଲ୍ଲୁଙ୍କ ସଦ୍ୟତମ ଚଳଚ୍ଚିତ୍ର ପୁଷ୍ପା-୨: ଦି ରୁଲର ପ୍ରିମିୟର ଶୋ ସମୟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଏହି ଦଳାଚକଟା ଘଟିବାରୁ ଏଥିରେ ଜଣେ ୩୫ ବର୍ଷୀୟା ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିଲା  । ଏହି ଘଟଣା ବିବାଦକୁ ଆସିବା ପରେ ନିଜେ ଅଲ୍ଲୁ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଏଥିପାଇଁ ତାଙ୍କୁ ଘରୁ ଉଠାଇନେଇଥିଲା ହାଇଦ୍ରାବାଦ୍ ପୋଲିସ୍ । ଆଉ ଏବେ ତାଙ୍କୁ ଜାମିନ୍ ମିଳିଛି ।

ଗୋଟେ ପଟେ ପୁଷ୍ପାରାଜ୍ ଏବେ ସାରା ବିଶ୍ବବାସୀଙ୍କ ହୃଦୟରେ ରାଜ୍ କରୁତିବା ବେଳେ ଏବେ ଅଲ୍ଲୁଙ୍କ ଗିରଫଦାରୀ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛି । ତେବେ କାହିଁକି ଅଲ୍ଲୁଙ୍କୁ ଗିରଫ କରାଗଲା ? କି ଭୁଲ୍ କରିଦେଲେ ପୁଷ୍ପାରାଜ୍? ଏହାକୁ ନେଇ ଏବେ ଚାରି ଆଡେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଜଣେ ଅଭିନେତାଙ୍କ ପାଇଁ ଫ୍ୟାନ୍ସଙ୍କ କ୍ରେଜ୍ ରହିଛି, ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି, ତାଙ୍କ ପାଇଁ ଭିଡ ଜମୁଛି, ସେଥିଣେ ତାଙ୍କର କ’ଣ ଭୁଲ୍ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଅଭିନେତା । ଏହା ସଂପୂର୍ଣ୍ଣ ଥିଏଟରର ସୁରକ୍ଷା ବ୍ୟବସ୍ଥା ଉପରେ ନ୍ୟସ୍ତ ବୋଲି ସେ ଦାବି କରିଛନ୍ତି । ତେବେ କୌଣସି ସୁପରଷ୍ଟାରଙ୍କ ପାଇଁ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଫିଲ୍ମର ପ୍ରମୋସନ ପାଇଁ ଷ୍ଟାରମାନେ ଥିଏଟର ଯାଇଛନ୍ତି ଆଉ ଭିଡ ଅଣାୟତ୍ତ ହୋଇଛି । ତାହାଲେ ଏଥିରେ ଅଲ୍ଲୁଙ୍କ ଭୁଲ୍ କେଉଁଠି ରହିଲା ? ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ, ଅଲ୍ଲୁ ପୂର୍ବରୁ ଖବର ନଦେଇ ହଠାତ୍ ହାଇଦ୍ରାବାଦ୍ ଥିଏଟରରେ ପହଞ୍ଚିଥିଲେ । ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୂଚାରୁରୂପେ ବ୍ୟବସ୍ଥିତ କରାଯାଇନଥିଲା । ଯେଉଁ କାରଣରୁ ଅଲ୍ଲୁଙ୍କୁ ଦେଖି ଫ୍ୟାନ୍ସ ଉତ୍ସାହିତ ହୋଇ ଦଳଚକଟା ପରିସ୍ଥିତି ସୃଷ୍ଟି କରିଥିଲେ ।

ଯାହାକୁ ନେଇ ଅଲ୍ଲୁ କହିଛନ୍ତି ସେମାନେ ପୂର୍ବରୁ ଥିଏଟରର ମାନେଞ୍ଜମେଣ୍ଟ ଏବଂ ସେ ଅଞ୍ଚଳର ଥାନା ପୋଲିସଙ୍କୁ ଅବଗତ କରାଇଥିଲେ । ପୋଲିସର ଭୁଲ୍ ପାଇଁ ଏସବୁ ଘଟିଗଲା । ସେ ସମାନ କଥା ଥିଏଟର ମଧ୍ୟ ପ୍ରକାଶ କରିଛି । ଯେ ସେମାନେ ପୂର୍ବରୁ ଅଲ୍ଲୁ ଆସୁଥିବା ନେଇ ତେଲେଙ୍ଗାନା ପୋଲିସକୁ ଅବଗତ କରାଇଥିଲେ । ହେଲେ ଅପରପକ୍ଷରେ ଏଭଳି ଯୁକ୍ତିକୁ ପୂରା ଖଣ୍ଡନ କରିଛି ତେଲେଙ୍ଗାନା ପୋଲିସ୍ । ସେମାନେ ଅଲ୍ଲୁଙ୍କ ଆସିବା ନେଇ କୌଣସି  ସୂଚନା ପାଇନଥିବା ରିପୋର୍ଟରେ ଦର୍ଶିାଇଛନ୍ତି ।

ଏହାରି ଭିତରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ପକ୍ଷରୁ ତେଲେଙ୍ଗାନା ପୋଲିସକୁ ଦିଆଯାଇଥିବା ଏକ ଲେଟରର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ପୁଷ୍ପା ୨ର ଷ୍ଟାର କାଷ୍ଟ ୪ ତାରିଖରେ ସିନେମା ହଲକୁ ଆସୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଭିଡ ବଢିବାରେ । ତେଣୁ ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଉଛି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ହାଇଦ୍ରାବାଦ୍ ଘଟଣାରେ ଭୁଲ୍ କାହାର ? ଥିଏଟରର ନା ଅଲ୍ଳୁଙ୍କର ? ନା ସବୁ ପାଇଁ ଦାୟୀ ପୋଲିସ୍ ? ଏନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.