ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣି ମନ୍ଦିରରେ ଆଜି ଏକ ଅଘଟଣ ଘଟିଛି । ଦୀପ ଷ୍ଟାଣ୍ଡରେ ଦୀପ ଜାଳୁଥିବା ବେଳେ ଜଣେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗିଯିବାରୁ ମହିଳା ଜଣଙ୍କ ଗୁଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ମୁତାବକ, ଗୁରୁତର ମହିଳା ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କୁରୁଣ୍ଟି ଗାଁର ମିନାକ୍ଷୀ ବରାଳ । ମହିଳା ଜଣକ ନିଜ ପରିବାର ଲୋକଙ୍କ ସହିତ ଆଜି ଘଟଗାଁ ତାରିଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ସେଠାରେ ସେ ମା’ଙ୍କ ଦର୍ଶନ କରିବା ସହିତ ଦୀପଷ୍ଟାଣ୍ଡରେ ଦୀପ ଜାଳୁଥିଲେ । ହେଲେ ଏହି ସମୟରେ ଅସାବଧାନତା ଯୋଗୁଁ ତାଙ୍କର ଶାଢ଼ିରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଏହି ନିଆଁ ସମଗ୍ର ଶରୀରରେ ବ୍ୟାପି ଯାଇଥିଲା ।
ତେବେ କଟକ ବଡ଼ଡାକ୍ତରଖାନାରେ ଏବେ ମହିଳାଙ୍କ ଚିକିତ୍ସା ଚାଲିଥିବାବେଳେ, କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଏଭଳି ଘଟଣା ଘଟିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।