ଭୁବନେଶ୍ବର: ପଦ୍ମ ଧରିଛନ୍ତି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି। ସେ ବିଜେଡି ଛାଡ଼ି ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ୧୪ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ମିଶିଥିବା ଜଣାଯାଇଛି। ସେହିପରି ଯାଜପୁରର ପ୍ରଣବ ପ୍ରକାଶ ଦାସଙ୍କ ଅଞ୍ଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚମାନେ ବିଜେପିରେ ସାମିଲ ହୋଇଛନ୍ତି। ମୋଟ ୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସ କର୍ମୀ ପଦ୍ମ ଧରିଛନ୍ତି।
ଏହି ପରିପ୍ରେକ୍ଷୀରେ କୋରାପୁଟର ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ନେତୃତ୍ୱରେ ସରପଂଚ ଆନନ୍ଦ ହାଲୁଆ, ଟଙ୍କଧର ହାଲୁଆଙ୍କ ସମେତ ୧୩ ସରପଞ୍ଚ, ୧୪ ସମିତି ସଭ୍ୟ ଓ ୧୧ ଜଣ ଏସ୍ଡିସି (ସ୍ପେଶାଲ ଡେଭଲପମେଂଟ୍ କାଉନ୍ସିଲ) ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଟକ ଜିଲା ବିଜେଡି ଉପସଭାପତି ତଥା ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଆତ୍ମା କମିଟି ଅଧ୍ୟକ୍ଷ ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ସରପଞ୍ଚ ପ୍ରତିମା ମଲ୍ଲିକଙ୍କ ୱାର୍ଡ ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ରୀନା ସ୍ୱାଇଁ ସମେତ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି । ଯାଜପୁର ଜିଲାର ଚିଟାଳୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲୀପ ମହାନ୍ତି, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ନିରୁପମା ସେଠୀଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମଲ ହୋଇଛନ୍ତି। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
ଏହି ମିଶ୍ରଣ ପର୍ବରେ ନିଆଳି ବିଧାୟକ ଛବି ମଲ୍ଲିକ, ପୂର୍ବତନ ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରତ ବିଶ୍ୱାଳ, ସ୍ୱଚ୍ଛ ଭାରତ ଅଭିଯାନର ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ବିଶ୍ୱାଳ, ଯାଜପୁର ଜିଲା ସଭାପତି ଗୌତମ ରାୟ, ଯାଜପୁର ଜିଲାର ବରିଷ୍ଠ ନେତା ସୁବାଷ ମହାନ୍ତି, ମଣ୍ଡଳ ସଭାପତି ଶ୍ରୀନିବାସ ପରିଡ଼ା, ଶିକ୍ଷକ ସେଲର ରାଜ୍ୟ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁଜିତ୍ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ମିଶ୍ରଣ ଫଳରେ ରାଜ୍ୟରେ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିବା ସହ ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର। ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ସୂଚନାଯୋଗ୍ୟ,ଗତ ସପ୍ତାହରେ ଗଞ୍ଜାମର ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା କୁମାରୀ ପ୍ରଧାନ ନିଜର ସମର୍ଥକମାନଙ୍କ ସହ ବିଜେଡି ଛାଡ଼ି ବିଜେପିରେ ମିଶି ଥିଲେ । ସେହିପରି କିଛିଦିନ ପୂର୍ବରୁ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।