ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ଏକ ଦେଶ ଏକ ନିର୍ବାଚନ ବିଲ୍ । ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବିଲକୁ ମଂଜୁରୀ ଦେଇସାରିଛି । ତେବେ ବିଲକୁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବା ଜେପିସିକୁ ପଠାଯାଇପାରେ । ଏକ ଦେଶ ଏକ ନିର୍ବାଚନ ପାଇଁ କେନ୍ଦ୍ର ସରକାର ଦୁଇଟି ବିଲ୍ ଆଣିଛନ୍ତି । ଗୋଟିଏ ସମ୍ବିଧାନ ସଂଶୋଧନ ବିଲ୍ ତ ଜମ୍ମୁକାଶ୍ମୀର ଓ ଦିଲ୍ଲୀ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ଏକାଠି ନିର୍ବାଚନ କରାଇବା ସଂପର୍କିତ ରହିଛି ଦ୍ବିତୀୟ ବିଲ । ସାରା ଦେଶରେ ଏକାଠି ନିର୍ବାଚନ କରାଇବାକୁ ନେଇ ଗତ ବର୍ଷ ସେପ୍ଟେମ୍ବରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ମାର୍ଚ୍ଚରେ କମିଟି ରିପୋର୍ଟ ଦେଇଥିଲା । ରିପୋର୍ଟରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା ।
ବିଲ୍ ପାସ କରିବାରେ ବାଧା କେଉଁଠି?
ଏକ ଦେଶ ଏକ ନିର୍ବାଚନର ସମ୍ବିଧାନ ସଂଶୋଧନ ବିଲ୍ ପାସ କରାଇବା ସରକାରଙ୍କ ପାଇଁ ସହଜ ହେବନି । କାରଣ ସମ୍ବିଧାନରେ ସଂଶୋଧନ ପାଇଁ ସଂସଦରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ସଂସଦରେ ଏନଡିଏ ପାଖରେ ଦୁଇ ତୃତୀୟାଂଶ ବହୁମତ ନାହିଁ । ଲୋକସଭାରେ ବିଲ୍ ପାସ୍ କରିବାକୁ ୩୬୨ ଭୋଟ୍ ଦରକାର ତ ରାଜ୍ୟସଭାରେ ଦରକାର ୧୬୪ଭୋଟ୍ । ଏବେ ଲୋକସଭାରେ ଏନଡିଏ ପାଖରେ ୨୯୨ସିଟ୍ ତ ରାଜ୍ୟସଭାରେ ୧୧୨ସିଟ୍ ରହିଛି । ଯେବେକି ବିଲକୁ ବିରୋଧ କରୁଥିବା ବିପକ୍ଷ ପାଖରେ ଲୋକସଭାରେ ୨୦୫ ଓ ରାଜ୍ୟସଭାରେ ୮୫ସିଟ୍ ରହିଛି । ତେଣୁ ବିଲ୍ ପାସ କରିବାକୁ ହେଲେ ବିରୋଧୀଙ୍କ ସାଥ୍ ଜରୁରୀ ।
ସପକ୍ଷରେ କିଏ ବିପକ୍ଷରେ କିଏ?
ଏକକ ନିର୍ବାଚନ ପାଇଁ ଆସିଥିବା ସମ୍ବିଧାନ ସଂଶୋଧନ ବିଲକୁ କଂଗ୍ରେସ ପକ୍ଷରୁ ମନୀଷ ତିଓ୍ବାରୀ ବିରୋଧ କରିଛନ୍ତି । ବିଲଟି ସମ୍ବିଧାନର ମୂଳ ସଂରଚନାର ବିରୋଧୀ ବୋଲି ସେ କହିଛନ୍ତି । ସମାଜବାଦୀ ପାର୍ଟି ମଧ୍ୟ ବିଲକୁ ବିରୋଧ କରୁଛି । ବିଜେପି ଏକଛତ୍ରବାଦ ଆଣିବାକୁ ନୂଆ ରାସ୍ତା ଖୋଜୁଥିବା ସପା ସାଂସଦ ଧର୍ମେନ୍ଦ୍ର ଯାଦବ କହିଛନ୍ତି । ସେହିପରି ବିଲ୍ ସଂଘୀୟ ବ୍ୟବସ୍ଥାକୁ କୁଠାରାଘାତ ବୋଲି ଉଦ୍ଧବ ଠାକରେ ଶିବସେନା ସାଂସଦ ଅନିଲ ଦେଶାଇ କହିଛନ୍ତି । ବିଲକୁ ସଂସଦୀୟ ଗଣତନ୍ତ୍ରର ଉଲ୍ଲଂଘନ ବୋଲି କହିଛନ୍ତି ଅସଦୁଦ୍ଦିନ ଓବେସି । ବାମ ଦଳର ସାଂସଦ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ବିଲକୁ ସମ୍ବିଧାନ ବିରୋଧୀ କହିବା ସହ ସଂସଦରେ ଆଗତ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଡିଏମକେ ସାଂସଦ ଟିଆର ବାଲୁ । ସେହିପରି ବିଲକୁ ଅଲଟ୍ରା ଭାଇରସ କହିଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ । ତେବେ ସିନ୍ଦେଙ୍କ ଶିବସେନା ଓ ଟିଡିପି ବିଲକୁ ସମର୍ଥନ କରିଛନ୍ତି । ଜେଡିୟୁ ଓ ଏଲଜେପି ମଧ୍ୟ ବିଲର ସମର୍ଥନରେ ମତ ଦେଇଛନ୍ତି ।
ସମ୍ବିଧାନରେ କେଉଁ ସଂଶୋଧନ?
ସମ୍ବିଧାନରେ ଅନୁଚ୍ଛେଦ ୮୨A ଯୋଡିବା ଦ୍ବାରା ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହୋଇପାରିବ । ଏହାକୁ ଲାଗୁ କରିବା ଦ୍ବାରା ସବୁ ରାଜ୍ୟର ବିଧାନସଭା ଓ ଲୋକସଭା କାର୍ଯ୍ୟକାଳ ଏକାଠି ଶେଷ ହେବ । ଯଦି ଅନୁଚ୍ଛେଦ ୨୦୨୯ରେ ଲାଗୁ ହୁଏ, ତେବେ ସବୁ ବିଧାନସଭାର କାର୍ଯ୍ୟକାଳ ୨୦୨୯ପର୍ଯ୍ୟନ୍ତ ରହିବ । ଅର୍ଥାତ ଯଦି କୌଣସି ରାଜ୍ୟରେ ୨୦୨୭ରେ ବିଧାନସଭା ନିର୍ବାଚନ ହୋଇଥିବ, ଏହାର କାର୍ଯ୍ୟକାଳ ମଧ୍ୟ ଜୁନ୍ ୨୦୨୯ ପର୍ଯ୍ୟନ୍ତ ରହିବ । ଫଳରେ ସବୁ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି କରାଯାଇପାରିବ ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚଳିତ ବର୍ଷ ମାର୍ଚ୍ଚ ୧୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ଦେଇଥିଲେ । ସାଢେ ୧୮ହଜାର ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟରେ ଦୁଇଟି ପର୍ଯ୍ୟାୟରେ ଏକାଠି ନିର୍ବାଚନ କରିବାକୁ ସୁପାରିସ କରାଯାଇଥିଲା । ୨୦୨୯ରୁ ଏହାର ଆରମ୍ଭ କରାଯାଇପାରିବ ବୋଲି କମିଟି ପ୍ରସ୍ତାବ ଦେଇଥିଲା । ସଂସଦରେ ବିଲ୍ ଆଗତ କରାଯାଇଥିବା ବେଳେ ବିଲକୁ ସବୁ ଦଳର ସହମତି ପାଇବାକୁ ଜେପିସିକୁ ପଠାଯିବ । ଜେପିସି ରିପୋର୍ଟ ଆଧାରରେ ପୁଣି ବିଲକୁ ସଂସଦରେ ଆଗତ କରାଯିବ । ସଂସଦର ଉଭୟ ଗୃହରେ ବିଲ୍ ପାସ ହେଲେ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ବିଲ୍ ଆଇନରେ ପରିଣତ ହେବ ।