ମୁମ୍ବାଇ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ପାଖରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ବୁଡିଯାଉଥିବା ୫ ବର୍ଷର ଶିଶୁ ପାଇଁ ଦେବଦୂତ ସାଜିଛନ୍ତି ଜଣେ ଜର୍ମାନୀ ଟୁରିଷ୍ଟ । ସେ ପିଲାଟିକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ତେବେ ଦୁର୍ଘଟଣାଗ୍ରସ୍ତ ଫେରିରେ ଏହି ୫ ବର୍ଷର ଶିଶୁଟି ତାର ବାପା ମାଆଙ୍କ ସହ ଥିଲା । ଏହି ସମୟରେ ଫେରୀ ସହିତ ନୌସେନା ସ୍ପିଡ ବୋଟ୍ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଫେରୀଟି ବୁଡି ଯାଇଥିଲା । ଏହି ସମୟରେ ଯିଏ ଯେଝାର ଜୀବନ ବଞ୍ଚାଇବାକୁ ଲାଗି ପଡିଥିଲେ । ହେଲେ ଫେରୀ ବୁଡିବା ଦେଖି ଜର୍ମାନୀରୁ ଆସିଥିବା ଟୁରିଷ୍ଟ ଜଣକ ନିଜ ଜୀବନକୁ ବାଜି ଲଗାଇ ବୁଡିଯାଉଥିବା ୫ ବର୍ଷର ପିଲାଟିକୁ ଉଦ୍ଧାର କରିଥିଲେ ।
ଜର୍ମାନୀରୁ ଆସିଥିବା ଟୁରିଷ୍ଟଙ୍କ ସହ ବୋଟରେ ୩ ଜଣ ବିଦେଶୀ ନାଗରିକ ରହିଥିଲେ । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ବିଷୟରେ କିଛି ଜଣାପଡିନାହିଁ ।
ସୂଚନାଯୋଗ୍ୟ, ବୁଧବାର ଅପରାହ୍ଣ ୪ଟାରେ ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ପାଖରେ ଫେରୀକୁ ନୌସେନାର ସ୍ପିଡ ବୋଟ୍ ଧକ୍କା ଦେବା ସମୟରେ ଡଙ୍ଗାଟି ବୁଡିଯାଇଥିଲା । ଏହି ଦୁର୍ଘଟଣାରେ ୩ ନୌସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି ।