ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଫୋକସରେ ରହିଛି ଓଡ଼ିଶା । ମାସକ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହ ଚଳିତମାସ ୨୮ତାରିଖରେ ଦୁଇଦିନିଆ ଗସ୍ତରେ ଆସି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି।
ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ୨୮ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଏହି ଗସ୍ତ ସମୟରେ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ଶାହ ୨୮ତାରିଖରେ ସମ୍ବଲପୁରରେ ପହଞ୍ଚିବା ପରେ ସିଧାସଳଖ ସମଲେଶ୍ୱରୀ ମନ୍ଦିର ଯିବେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ସେ ଗଙ୍ଗାଧର ମେହେର କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବୁର୍ଲା ଭୀମସାର ଯିବେ। ଭୀମସାର ସୁପର ସ୍ପେଶାଲିଷ୍ଟ ବିଲଡିଂକୁ ଉଦଘାଟନ କରିବାରା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହାସହ ଅନ୍ୟ କିଛି ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ଗସ୍ତ ସମୟରେ ଶ୍ରୀ ଶାହ ବିଜେପି ବିଧାୟକ,ସାଂସଦ ଓ ବରିଷ୍ଠ କର୍ମକର୍ତ୍ତାଙ୍କ ବୈଠକ ମଧ୍ୟ ନେବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ପାଇଁ ନଭେମ୍ବର ୨୯ରେ ଶ୍ରୀ ଶାହ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ୩ଦିନ ଓଡ଼ିଶାରେ ରହିଥିଲେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ ।
ତେବେ ଆସନ୍ତା ଜାନୁୟାରୀ ୮ରୁ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ପରେ ପୁଣିଥରେ ଜାନୁୟାରୀ ୨୮-୨୯ରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ଜାଣିବାକୁ ମିଳିଛି।