ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଆଜି କେନ୍ଦ୍ର ସରକାଙ୍କ ନିର୍ବାଚନ ସଂଶୋଧନ ନିୟମକୁ ନେଇ ଜୋରଦାର୍ ବର୍ଷିଛନ୍ତି । କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହା ରୀତିମତ ଚାଲିଥିବା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । କେନ୍ଦ୍ର ସରକାର ନିର୍ବାଚନ ନିୟମ ସଂଶୋଧନ କରି ନିର୍ବାଚନ ଡକ୍ୟୁମେଣ୍ଟର ଆସେସକୁ ସୀମିତ କରିବାକୁ ଚାହୁଁଛନ୍ତି । ଯାହା ନିର୍ବାଚନ କମିଶନର ଅଖଣ୍ଡତାକୁ ଦୁର୍ବଳ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ଖଡଗେ ।
ଏହାକୁ ନେଇ ନିଜ ଏକ୍ସରେ ଖଡଗେ ଲେଖିଛନ୍ତି, କେନ୍ଦ୍ର ସରକାର ନିର୍ବାଚନ ନିୟମରେ ସଂଶୋଧନ ଆଣି ନିର୍ବାଚନ କମିଶନଙ୍କ କ୍ଷମତା ସହ ବୁଝାମଣା କରିବାକୁ ଚାହୁଁଛନ୍ତି । ଯାହା ନିର୍ବାଚନ କମିଶନଙ୍କ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରୁଛି । ଏହା ସମ୍ବିଧାନ ଏବଂ ଗଣତନ୍ତ୍ରର ମୌଳିକ ଅଧିକାର ଉପରେ ଆକ୍ରମଣ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ସେମାନେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରୁଥିବା ଚୟନ ପ୍ରକ୍ରିୟା ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ହଟାଇ ଦେଇଥିଲେ। ଏବେ ସେମାନେ ନିର୍ବାଚନ ପ୍ରକ୍ରିୟାର ସୂଚନା ଉପରେ ରୋକ ଲଗାଇ ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ସେମାନେ ଏପରି କରିଛନ୍ତି। ଏପରି କରି ମୋଦି ସରକାର ଭାରତୀୟ ନିର୍ବାଚନ କମିଶନ ଉପରେ ଆଉ ଗୋଟିଏ ପ୍ରହାର କରିଛନ୍ତି। ଏହା ବ୍ୟବସ୍ଥିତ ଷଡ଼ଯନ୍ତ୍ରର ଅଂଶ ବିଶେଷ। ସଂଗଠନଗତ ଅଖଣ୍ଡତାକୁ ଧ୍ୱଂସ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ ବୋଲି ଦାବି କରିଛନ୍ତି ଖଡଗେ ।
ଭୋଟରଙ୍କ ନାଁ କଟିବା ଏବଂ ଇଭିଏମରେ ସ୍ୱଚ୍ଛତାର ଅଭାବ ଭଳି ନିର୍ଦ୍ଦିଷ୍ଟ ନିର୍ବାଚନ ଅନିୟମିତତା ବିଷୟରେ ଯେତେ ଥର କଂଗ୍ରେସ ଦଳ ଇସିଆଇଙ୍କୁ ଚିଠି ଲେଖିଛି, ଇସିଆଇ ସବୁବେଳେ ଏକ ନମ୍ର ସ୍ୱରରେ ପ୍ରତିକ୍ରିୟା ରଖିଛନ୍ତି । ଏମିତିକି ଗୁରୁତର ଅଭିଯୋଗକୁ ମଧ୍ୟ ସ୍ୱୀକାର କରିନାହାନ୍ତି । ଆଉ ଏବେ ଏହା ପୁଣି ଥରେ ପ୍ରମାଣିତ କରୁଛି ଯେ ଇସିଆଇ ଯଦିଓ ଏକ ଅର୍ଦ୍ଧ-ନ୍ୟାୟିକ ସଂସ୍ଥା, ହେଲେ ସେ ସ୍ବାଧୀନ ଭାବେ କାର୍ଯ୍ୟ କରୁନାହିଁ । ଇସିଆଇଙ୍କ ଅଖଣ୍ଡତା କ୍ଷୟ କରିବା ପାଇଁ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଗଣତନ୍ତ୍ର ଏବଂ ସମ୍ବିଧାନ ଉପରେ ଏକ ଶକ୍ତ ପ୍ରହାର । କଂଗ୍ରେସ ଏହାର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଖଡଗେ ।
ତେବେ କହିରଖୁଛୁ, ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଛନ୍ତି। ଏଣିକି ସର୍ବସାଧାରଣ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ୍ ମଗାଯିବା ଉପରେ ସଂଶୋଧନ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଛି। ଏଣିକି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଇଲେକ୍ଟ୍ରୋନିକ୍ ରେକର୍ଡ, ସିସିଟିଭି କ୍ୟାମେରା ଓ ୱେବକାଷ୍ଟିଂ ଫୁଟେଜ୍ ଭଳି କେତେକ ଇଲେକ୍ଟ୍ରୋନିକ୍ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ସହ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଯାହାକୁ ନେଇ ଭଡକିଛନ୍ତି ଖଡଗେ ।