Latest Odisha News

BREAKING NEWS

ଆସୁଛି ବର୍ଷା, କାନ୍ଦୁଛି ଚାଷୀ: ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ଵର: ପୁଣି ଆସୁଛି ବର୍ଷା । ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଦୁଇ ଦିନ ଲାଗି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ । ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ଆସନ୍ତାକାଲି ୭ ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ବିଭାଗ । ସେହିପରି ୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ବିଭାଗ । ଏହାପରେ ୨୬ରୁ ୨୮ ଯାଏଁ ଶୁଖିଲା ପାଗ ରହିବ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ହେବା ନେଇ ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢ଼ିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଚାଷୀର ମେରୁହାଡ଼ ଭାଙ୍ଗିଦେଇଛି ପାଚିଲା ଧାନ ଉପରେ ବର୍ଷା ମାଡ଼। ଅଦିନିଆ ବର୍ଷା ଯୋଗୁଁ ଚାଷୀକୂଳ ହନ୍ତସନ୍ତ। ୩ ଦିନ ଲଗାଣ ବର୍ଷା ପରେ ଜମିରେ ଓଦା ସରସର ଧାନବିଡ଼ା ପଡ଼ିଛି। ଯାହାକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ଧାନ ଫସଲ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଆସନ୍ତାକାଲିଠାରୁ ଫସଲର ରକ୍ଷଣାବେକ୍ଷଣ କରିବାକୁ ଚିନ୍ତା କରୁଛନ୍ତି।  ଏହାରି ମଧ୍ୟରେ ସମ୍ଭାବିତ ବର୍ଷା ପୁଣି ଥରେ ଚାଷୀମାନଙ୍କର ଚିନ୍ତା ବଢ଼ାଇ ଦେଇଛି।

Comments are closed.