ନୂଆଦିଲ୍ଲୀ: ନୂଆବର୍ଷର ଗଣତନ୍ତ୍ର ଦିବସ ପାଇଁ ପରେଡର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ଏଥର ମଧ୍ୟ ପୁଣି ଥରେ ପରେଡରେ ନଜର ଆସିବନି ଦିଲ୍ଲୀ ଝାଙ୍କୀ । କାରଣ କେନ୍ଦ୍ର ସରକାର ଏଥର ମଧ୍ୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ଝାଙ୍କୀକୁ ଖାରଜ କରିଦେଇଛନ୍ତି । ଯାହାକୁ ନେଇ ଏବେ ଆପ ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନ ବାଜି ଜୋର ଧରିଛି । ଏହାକୁ ନେଇ ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ଉପରେ ବର୍ଷିଛନ୍ତି । ଗଣତନ୍ତ୍ର ଦିବସରେ ରାଷ୍ଟ୍ରୀୟ ରାଜଧାନୀ ଝାଙ୍କୀକୁ ସାମିଲ ନକରାଯିବାକୁ ନେଇ ମୋଦି ସରକାରଙ୍କ ପ୍ରତିଶୋଧ ରାଜନୀତି ବୋଲି ଅଭିଯୋଗ କରିଛନ୍ତି କେଜ୍ରିଓ୍ବାଲ ।
ତେବେ କ’ଣ ରହିଛି ମାନଦଣ୍ଡ? କେଉଁ ଆଧାରରେ ବିଭିନ୍ନ ରାଜ୍ୟର ଝାଙ୍କୀ ପରେଡରେ ସାମିଲ ହୁଅନ୍ତି? ଆସନ୍ତୁ ଜାଣିବା…
ଝାଙ୍କୀ ବା ଟେବୁଲ୍ ହେଉଛି ଏକ ସ୍ବତନ୍ତ୍ର ମଡେଲ କିମ୍ବା ଷ୍ଟାଟିକ୍ ଫିଗର । ଯାହା କୌଣସି ରାଜ୍ୟର ଏକ କାହାଣୀ କିମ୍ବା ଇତିହାସର ଏକ ଦୃଶ୍ୟକୁ ପ୍ରତିନିଧିତ୍ୱ କରେ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ରାଜ୍ୟ ତଥା ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଯନ୍ତ୍ରପାତିକୁ ବ୍ୟବହାର କରି ସେମାନଙ୍କର ଯେକୌଣସି ଇତିହାସ ଏବଂ ସଂସ୍କୃତିକୁ ନିଜ ନିଜର ଏକ ସ୍ବତନ୍ତ୍ର ମଡେଲ ପ୍ରସ୍ତୁତ କରି ଟେବୁଲରେ ପ୍ରଦର୍ଶନ କରନ୍ତି । ପରେ ଗଣତନ୍ତ୍ର ଦିବସ ପରେଡରେ ଏହି ଟେବୁଲଗୁଡିକ ପ୍ରଦର୍ଶିତ ହୋଇଥାଏ ।
ତେବେ ଏହାକୁ ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କ ପାଖକୁ ବିଭିନ୍ନ ରାଜ୍ୟ କିମ୍ବା କୌଣସି କ୍ଷେତ୍ର, ମନ୍ତ୍ରାଳୟ/ ବିଭାଗ ତରଫରୁ ପ୍ରସ୍ତବା ଆସିଥାଏ । ଏହି ପ୍ରସ୍ତାବ ଗୁଡିକର ମୂଲ୍ୟାଙ୍କନ କଳା, ସଂସ୍କୃତି, ଚିତ୍ରକଳା, ମୂର୍ତ୍ତିକଳା, ସଙ୍ଗୀତ, ବାସ୍ତୁକଳା, ନୃତ୍ୟକଳା ଆଦି କ୍ଷେତ୍ରକୁ ନେଇ କରାଯାଇଥାଏ । ଏନେଇ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ହୋଇଥିବା ବୈଠକରେ ଏହାର ନିଷ୍ପତ୍ତି ନିଆଯାଏ । ଯାହା ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଚୟନ କରାଯାଇଥାଏ । ଏଥିରେ ମସ୍ତ ସଦସ୍ୟ ପ୍ରତିଭାଗିତା ମଡେଲକୁ ତନତନ କରି ଯାଞ୍ଚ କରିବା ସହିତ ଏହାକୁ ପରେଡ ପ୍ରଦର୍ଶିତ କରିବାର ତାତ୍ପର୍ଯ୍ୟ କ’ଣ ସେନେଇ ଆଲୋଚନା କରିବା ପରେ ପ୍ରଦର୍ଶିତ ପାଇଁ ମଞ୍ଜୁରି ମିଳିଥାଏ ।