Latest Odisha News

BREAKING NEWS

ନୀତିଶ ନିରବ… ପୁଣି ମାରିବେ କି ପଲଟି?

ନୂଆଦିଲ୍ଲୀ: ପୁଣି ପଲଟି ମାରିବେ କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର? ସାଧାରଣ ନିର୍ବାଚନ ପୂର୍ବରୁ ହିଁ ଏନଡିଏକୁ ଫେରିଥିଲେ ନୀତିଶ । ପୁଣି ଏନଡିଏକୁ ଝଟକା ଦେବେ କି ନୀତିଶ ? ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ବିହାର ନେଇ ଅମିତ ଶାହାଙ୍କ ବୟାନର ଜୋରଦାର ଚର୍ଚ୍ଚା ହୋଇଥିଲା । ବିହାରରେ ବିଜେପି ନୀତିଶଙ୍କ ପାଇଁ ଏକନାଥ ସିନ୍ଦେ ଫର୍ମୁଲା ଲାଗୁ କରିପାରେ ବୋଲି ବି ଆଲୋଚନା ହୋଇଥିଲା। ସେପଟେ ସଂସଦରେ ଆମ୍ବେଦକରଙ୍କୁ ନେଇ ଅମିତ ଶାହାଙ୍କ ବୟାନ ବିବାଦ ଭିତରେ କେଜ୍ରିଓ୍ବାଲ ନୀତିଶଙ୍କୁ ଚିଠି ଲେଖିଛନ୍ତି । ଏହାପରଠୁ ନୀତିଶ ଏକଦମ୍ ଚୁପ୍ । ତେବେ ପ୍ରଶ୍ନ ଉଠୁଛି, ନୀତିଶଙ୍କ ନିରବତା ବିଜେପି ପାଇଁ ସତର୍କ ସୂଚନା କି?

ଶାହାଙ୍କ ବୟାନ ବଢାଇଛି ସସପେନ୍ସ

ବିହାରରେ ଏନଡିଏର ନେତୃତ୍ବ କିଏ ନେବେ? ପ୍ରଶ୍ନର ଉତ୍ତରରେ ଏନେଇ ନିଷ୍ପତ୍ତି ବିଜେପି ସଂସଦୀୟ ବୋର୍ଡ ନେବ ବୋଲି କହିଥିଲେ ଅମିତ ଶାହା । ସିଧା ସଳଖ କିଛି କହିନଥିଲେ ବି ଶାହାଙ୍କ ଉତ୍ତରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ବିହାର ଏନଡିଏର ନେତୃତ୍ବ ନିଷ୍ପତ୍ତି ହୋଇସାରିଥିବା ଭାବୁଥିଲେ ନୀତିଶ । ହେଲେ ଶାହାଙ୍କ ବୟାନ ଭିନ୍ନ ଦିଗକୁ ଇସାରା କରିଥିଲା । ସିନ୍ଦେଙ୍କ ସମର୍ଥକ ମହାରାଷ୍ଟ୍ରରେ ବିହାର ଫର୍ମୁଲାରେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଥିଲେ । କମ୍ ସିଟ ସତ୍ବେ ୨୦୨୦ରେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ମହାରାଷ୍ଟ୍ରରେ ତ ବିହାର ଫର୍ମୁଲା ଲାଗୁ ହେଲାନି ହେଲେ ଶାହାଙ୍କ ବୟାନ ପରେ ବିହାରରେ ମହାରାଷ୍ଟ୍ର ଫର୍ମୁଲା ଲାଗୁ ନେଇ ଚର୍ଚ୍ଚା ବଢିଲା ।

ସ୍ଲୋଗାନରେ କ’ଣ ସଂକେତ?

ଶାହାଙ୍କ ବୟାନ ପରେ ନୀତିଶଙ୍କ ପ୍ରଗତି ଯାତ୍ରା ସ୍ଲୋଗାନକୁ ନେଇ ଚର୍ଚ୍ଚା ହେଉଛି । ୨୦୧୫ ଭଳି ସ୍ଲୋଗାନ ରଖିଛନ୍ତି ନୀତିଶ । ଜେଡିୟୁର ନୂଆ ସ୍ଲୋଗାନ ହେଉଛି, ଜବ୍ ବାତ୍ ବିହାର କି ହୋ, ନାମ ସିର୍ଫ ନୀତିଶ କୁମାର କା ହୋ । ଏଥିରେ ଗୋଟିଏ ତୀରରେ ଅନେକ ଶିକାର କରିଛନ୍ତି ନୀତିଶ । ଅମିତ ଶାହା ହୁଅନ୍ତୁ କି ଲାଲୁ ଯାଦବ ଓ ତେଜସ୍ବୀ ଯାଦବ ସ୍ଲୋଗାନରେ ସମସ୍ତଙ୍କ ପାଇଁ ସନ୍ଦେଶ ରହିଛି । ପ୍ରଥମେ ବିହାର ସିଏମ୍ ଫେସକୁ ନେଇ ଅମିତ ଶାହାଙ୍କ ବୟାନ, ପରେ ଶାହାଙ୍କ ଆମ୍ବେଦକର ବୟାନ ବିବାଦ ନେଇ କେଜ୍ରିଓ୍ବାଲଙ୍କ ଚିଠି, ଏନଡିଏ ବୈଠକ ପୂର୍ବରୁ ନୀତିଶ ଅସୁସ୍ଥ ହେବା ଏବଂ ଏବେ ଜେଡିୟୁର ନୂଆ ସ୍ଲୋଗାନ । ସବୁ ଘଟଣାକୁ ଏକାଠି କରି ନୀତିଶଙ୍କ ନିରବତା ପଛର କାରଣ ନେଇ ଚର୍ଚ୍ଚା କରୁଛନ୍ତି ରାଜନୈତିକ ବିଶେଷଜ୍ଞ ।

କେଜ୍ରିଓ୍ବାଲଙ୍କ ଚିଠିର ପ୍ରଭାବ କେତେ?

ସଂସଦରେ ଆମ୍ବେଦକରଙ୍କୁ ନେଇ ଅମିତ ଶାହାଙ୍କ ବୟାନକୁ ଜୋରଦାର ବିରୋଧ କରୁଛନ୍ତି ବିରୋଧୀ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏହାକୁ ନେଇ ନୀତିଶ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖିଛନ୍ତି । ବିବାଦ ପରେ ଉଭୟ ନୀତିଶ ଓ ନାଇଡୁ କେନ୍ଦ୍ରରେ ଏନଡିଏକୁ ସମର୍ଥନ ଦେବା ନେଇ ଆଉ ଥରେ ଚିନ୍ତା କରିବାକୁ ନିବେଦନ କରିଛନ୍ତି କେଜ୍ରିଓ୍ବାଲ । ଜେଡିୟୁ ଓ ଟିଡିପି ସମର୍ଥନ ପ୍ରତ୍ୟାହାର କଲେ ଏନଡିଏ ପାଇଁ ସମସ୍ୟା ବଢିପାରେ । କେଜ୍ରିଓ୍ବାଲଙ୍କ ଚିଠି ପରଠୁ ହିଁ ନୀତିଶ ଅସୁସ୍ଥ ହେବା ସହ ଚୁପ୍ ହୋଇଯାଇଛନ୍ତି । ଯାହାକୁ ନେଇ ବିହାର ରାଜନୀତିରେ ସସପେନ୍ସ ବଢିଛି ।

ବିହାରରେ ନୀତିଶଙ୍କ ନେତୃତ୍ବକୁ ନେଇ ବିଜେପି କେବେ ହଁ ତ କେବେ ନା କହୁଛି । ଶାହାଙ୍କ ବୟାନକୁ ନେଇ ନୀତିଶ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ତେବେ ନୀତିଶ ମହାଗଠବନ୍ଧନକୁ ଫେରିବା ବି ସହଜ ହେବନି । ସେଠିବି ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ନୁହେଁ । ମୁଖ୍ୟମନ୍ତ୍ରୀ ପଦ ବଦଳରେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପଦ ଅଫର କରିପାରନ୍ତି ଲାଲୁ । ହେଲେ ଇଣ୍ଡିଆ ମେଣ୍ଟରେ ପ୍ରଧାନମନ୍ତ୍ରୀ ଦାବେଦାର ବି ପ୍ରବଳ । ବିଜେପି ପାଇଁ ବି ନୀତିଶ କୁମାର ଆବଶ୍ୟକ । କେନ୍ଦ୍ରରେ ସଂଖ୍ୟା ଗଣିତ ପାଇଁ ଜେଡିୟୁ ଯେତିକି ଜରୁରୀ ବିହାରରେ ଭୋଟବ୍ୟାଙ୍କ ରାଜନୀତି ପାଇଁ ନୀତିଶ ସେତିକି ଜରୁରୀ । ବିହାର ବିଜେପି ପାଖରେ ନୀତିଶଙ୍କ ଭଳି ଚେହେରା ନାହାନ୍ତି । ଅନେକ ବରିଷ୍ଠ ନେତା ରହିଥିଲେ ବି ସେମାନଙ୍କର ନୀତିଶଙ୍କ ଭଳି ଭୋଟବ୍ୟାଙ୍କ ନାହିଁ । ତେଣୁ ବିହାରରେ ଉଭୟ ବିଜେପି ଓ ନୀତିଶ ପରସ୍ପରର ଆବଶ୍ୟକତା । ତେବେ ବାରମ୍ବାର ସାଥୀ ବଦଳାଇ ସରପ୍ରାଇଜ୍ ଦେଉଥିବା ନୀତିଶ କିଛି ବି କରିପାରନ୍ତି ।

Leave A Reply

Your email address will not be published.