ନୂଆଦିଲ୍ଲୀ: ସିରିଆ ଗୃହଯୁଦ୍ଧ ପରେ ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କୁ ତଲାକ ଦେବାକୁ ଯାଉଛନ୍ତି ପତ୍ନୀ ଅସମା ଅଲ୍ ଅସଦ । ଋଷ ଅଦାଲତରେ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସିରିଆର ପ୍ରିନ୍ସେସ୍ ଡାଏନା, ମରୁଭୂମିର ଗୋଲାପ ପୁଣି ନର୍କର ଫାଷ୍ଟ ଲେଡି କୁହାଯାଉଥିବା ଅସମା କିଏ? ୧୯୭୫ରେ ଲଣ୍ଡନରେ ଜନ୍ମ ନେଇଥିବା ଅସମାଙ୍କୁ ଗୋଟେ ସମୟରେ ପଶ୍ଚିମ ଏସିଆରେ ମହିଳା ସଶକ୍ତିକରଣର ପ୍ରତୀକ କୁହାଯାଉଥିଲା । ମରୁଭୂମିର ଗୋଲାପ କୁହାଯାଉଥିବା ଅସମା ପରେ ତାନାଶାହା ବଶର ଅଲ୍ ଅସାଦଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା ।
କାହିଁକି ଛାଡପତ୍ର ଚାହୁଁଛନ୍ତି ଅସମା?
ତୁର୍କୀ ଓ ଆରବ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଋଷରେ ଖୁସି ନାହାନ୍ତି ଅସମା । ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି । ତେଣୁ ଋଷ ଛାଡିବା ପାଇଁ ସେ କୋର୍ଟରୁ ସ୍ବତନ୍ତ୍ର ଅନୁମତି ମାଗିଛନ୍ତି । ଅସମାଙ୍କ ପାଖରେ ଉଭୟ ସିରିଆ ଓ ଲଣ୍ଡନର ନାଗରିକତା ରହିଛି । ତେବେ ଅସମାଙ୍କ ପାଇଁ ଲଣ୍ଡନ ଫେରିବା ସହଜ ହୋଇନପାରେ । ଏନେଇ ବ୍ରିଟେନ୍ ସଂକେତ ଦେଇସାରିଛି । ଅସମା ବ୍ରିଟେନ୍ ଆସିପାରିବେ ନାହିଁ ବୋଲି ସେଠାକାର ବିଦେଶ ମନ୍ତ୍ରୀ ଡେବି଼ଡ ଲେମି କହିଛନ୍ତି । ଅସମାଙ୍କ ଉପରେ କଟକଣା ଲାଗିଛି । ୨୦୧୨ରେ ବ୍ରିଟେନରେ ଅସମାଙ୍କ ସଂପର୍ତ୍ତି ଫ୍ରିଜ୍ କରାଯାଇଥିଲା ।
ବଶରଙ୍କ ସହ ସିକ୍ରେଟ୍ ବିବାହ
୨୦୦୦ମସିହାରେ ସିରିଆରେ ବଶଲ ଅଲ୍ ଅସଦଙ୍କୁ ବିବାହ କରିଥିଲେ ଅସମା । ବଶର ସିରିଆ ରାଷ୍ଟ୍ରପତି ହେବାର କିଛି ମାସ ପରେ ହିଁ ଅସମା ତାଙ୍କୁ ସିକ୍ରେଟ୍ ବିବାହ କରିଥିବା ଚର୍ଚ୍ଚା ହୋଇଥିଲା । ଅସମାଙ୍କ ଆକର୍ଷକ ଚେହେରା, ଷ୍ଟାଇଲିସ୍ ଲୁକ୍ ଓ ଲୋକଙ୍କ ସହ ମିଳାମିଶା ଦେଖି ତାଙ୍କୁ ସିରିଆର ପ୍ରିନ୍ସେସ ଡାଏନା କୁହାଯାଉଥିଲା । ସିରିଆର ପ୍ରଥମ ମହିଳା ଭାବେ ବିନା ପରଦାରେ ଦୁନିଆ ସାମନାକୁ ଆସିଥିଲେ । ପଶ୍ଚିମ ଏସିଆ ମହିଳାଙ୍କର ପରଦାରେ ରହିବା ପ୍ରଥାର ବିଲକୁଲ୍ ଓଲଟା ଛବି ସେ ଦୁନିଆ ଆଗରେ ପ୍ରଦର୍ଶିତ କରିଥିଲେ ।
ମରୁଭୂମିର ଗୋଲାପରୁ ନର୍କର ଫାଷ୍ଟ ଲେଡି
ସିରିଆରେ ଉଦାର ରାଜନୈତିକ ମାହୋଲର ପ୍ରତୀକ ପାଲଟିଥିଲେ ଅସମା । ଯେଉଁଠି ଅନ୍ୟ ମୁସଲିମ ଦେଶ ତୁଳନାରେ ମହିଳାଙ୍କୁ ଅଧିକ ଅଧିକାର ଦିଆଯାଉଥିଲା । ଅସଦଙ୍କ ଛବି ମଧ୍ୟ ଜଣେ ଉଦାର ନେତା ଭାବେ ପ୍ରସ୍ତୁତ କରିବା ଦିଗରେ ବି କାମ କରିଥିଲେ ଅସମା । ୨୦୧୦ରେ ଭୋଗ୍ ମ୍ୟାଗାଜିନ୍ ଅସମାଙ୍କୁ ମରୁଭୂମିର ଗୋଲାପ କହିଥିଲା । ତେବେ ୨୦୧୧ରେ ସିରିଆରେ ବିରୋଧ ପ୍ରଦର୍ଶନ କରୁଥିବା ୫ହଜାରରୁ ଅଧିକ ଲୋକଙ୍କୁ ବଶରଙ୍କ ସେନା ମାରି ଦେଇଥିଲେ । ଏହାପରେ ଅସମାଙ୍କ ଛବି ବି ମଳିନ ହୋଇଥିଲା । ଅସଦଙ୍କ ଦମନକାରୀ ନୀତି ତିଆରି କରିବାରେ ଅସମାଙ୍କ ଭୂମିକା ରହିଥିବା କୁହାଯାଇଥିଲା । ସିରିଆ ଗୃହଯୁଦ୍ଧରେ ଅସମାଙ୍କ ଭୂମିକାକୁ ନେଇ ଗମ୍ଭୀର ଅଭିଯୋଗ ଲାଗିବା ପରେ ବିଭିନ୍ନ ଦେଶ ତାଙ୍କ ଉପରେ କଟକଣା ଲଗାଇଥିଲେ । ଫଳରେ ସିରିଆର ପ୍ରିନ୍ସେସ୍ ଡାଏନାରୁ ନର୍କର ପ୍ରଥମ ମହିଳା ପାଲଟିଥିଲେ ଅସମା ।
ସିରିଆରେ କ୍ଷମତା ପରିବର୍ତ୍ତନ ପରେ ବଶର ଅଲ୍ ଅସଦଙ୍କ ପରିବାର ଏବେ ଋଷରେ ଶରଣ ନେଇଛନ୍ତି । ତେବେ ସେଠାରେ ଖୁସିରେ ନଥିବା ଅସମା ଋଷ ଛାଡିବାକୁ ଅଦାଲତଙ୍କୁ ସ୍ବତନ୍ତ୍ର ଅନୁମତି ମାଗିଛନ୍ତି । ଋଷ କର୍ତ୍ତୃପକ୍ଷ ବଶର ଅଲ୍ ଅସଦଙ୍କ ସଂପତ୍ତି ଓ ଟଙ୍କା ଜବତ କରିଛନ୍ତି । ଅସଦ ସିରିଆ ଛାଡିବା ବେଳେ ୨୭୦କିଲୋ ସୁନା ଆଣିଥିଲେ । ଋଷ ଅସଦଙ୍କୁ ଶରଣ ଦେଇଥିଲେ ମଧ୍ୟ ତାଙ୍କ ଉପରେ କଠୋର ପ୍ରତିବନ୍ଧକ ଲାଗୁ କରିଛି । ସେ ମସ୍କୋ ଛାଡିପାରିବେ ନାହିଁ କିମ୍ବା କୌଣସି ରାଜନୈତିକ କାର୍ଯ୍ୟରେ ସାମିଲ ହୋଇପାରିବେନି ।