ନୂଆଦିଲ୍ଲୀ: ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି। ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ । ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ। ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ମୋବାଇଲ୍ ସେବା ପ୍ରଦାନକାରୀ କଂପାନୀଙ୍କୁ ଟ୍ରାଇର ନିର୍ଦ୍ଦେଶ । ଏହାଦ୍ଵାରା ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ମିଳିବ ଫାଇଦା । ଏଥିସହ ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ।
ତେବେ ଏହି ନିୟମ ବୟସ୍କ ବ୍ୟକ୍ତି ଓ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବିଶେଷ ସହାୟକ ହେବ । ଟ୍ରାଇ ପକ୍ଷରୁ ଗତକାଲି ଏହି ନୂତନ ନିୟମ ଘୋଷଣା କରାଯାଇଛି । ନିୟମ ଅନୁସାରେ ଉପଭୋକ୍ତାଙ୍କ ସୁବିଧାକୁ ଆଖିରେ ରଖି ଏସଏମଏସ ଏବଂ ଭଏସ୍ କଲ ସମ୍ବନ୍ଧୀୟ ଭାଉଚରକୁ ୯୦ ଦିନରୁ ୩୬୫ ଦିନ ଯାଏ ବୃଦ୍ଧି କରିଛନ୍ତି ଟ୍ରାଇ। ଅର୍ଥାତ୍ ଏଣିକି ମୋବାଇଲ୍ରେ ଅର୍ଥ ଥାଇ ମଧ୍ୟ ୯୦ ଦିନରେ ତାହା ବାତିଲ ହେବ ନାହିଁ। ଥରେ ରିଚାର୍ଜ କଲେ ବର୍ଷେ ଯାଏ ସେହି ଅର୍ଥରେ ଭଏସ୍ କଲ୍ ବା ଏସଏମଏସ ପଠାଇହେବ।
ଅନ୍ୟପଟେ ୨୦୧୨ ମସିହାରେ ଜାରି ହୋଇଥିବା ସଂଶୋଧନ ନିର୍ଦ୍ଦେଶାନାମା ଅନୁସାରେ, ୧୦ ଟଙ୍କାର ଟପ୍ ଅପ୍ ଭାଉଚର ମିଳିବ ମଧ୍ୟ । ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି। ଏନେଇ ଘୋଷଣା କରିବା ସହ ବିସ୍ତୃତ ବିବରଣୀ ମଧ୍ୟ ଦେଇଛି ଟ୍ରାଇ ।