Latest Odisha News

BREAKING NEWS

ପରିବେଶ ଓ ପ୍ରତିରକ୍ଷା ପାଇଁ ଅଚଳାବସ୍ଥାରେ ପୁରୀ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ !

ନୂଆଦିଲ୍ଲୀ: ପୁରୀରେ ପ୍ରସ୍ତାବିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ “ସାଇଟ୍ କ୍ଲିଅରାନ୍ସ” ପ୍ରଦାନ କରିବାର ବର୍ଷେ ପରେ କେନ୍ଦ୍ର ସରକାର ଏହାକୁ ପ୍ରତିରକ୍ଷା ପ୍ରତିଷ୍ଠାନ ଏବଂ ପରିବେଶ ଦୃଷ୍ଟିରୁ ଦୁର୍ବଳ ଅଞ୍ଚଳ ବୋଲି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି କ୍ଷମତାରୁ ଯିବାର ଛଅ ମାସ ପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ପରିବେଶ ମନ୍ତ୍ରଣାଳୟ) ଏହି ଚିନ୍ତା ପ୍ରକାଶ କରିଛି। ଭାରତୀୟ ନୌସେନାର ଏକ ତାଲିମ କେନ୍ଦ୍ର କାରଣରୁ ୨୮ ନଭେମ୍ବର, ୨୦୨୪ରେ ଅନୁଷ୍ଠିତ ଏକ ବୈଠକରେ, ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) ବିମାନବନ୍ଦର ପାଇଁ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ସ୍ଥାନାନ୍ତର କରିବା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଆବେଦନକୁ ସ୍ଥଗିତ ରଖିଥିଲା। ରାଜ୍ୟ ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପୁରୀ ଠାରୁ ମାତ୍ର ୫୨ କିଲୋମିଟର ଦୂରରେ ଅବସ୍ଥିତ ଥିବା ବେଳେ ପୁରୀରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣର ଆବଶ୍ୟକତା ଉପରେ ଫରେଷ୍ଟ ଆଡଭାଇଜାରୀ କମିଟି (ଏଫଏସି)ପ୍ରଶ୍ନ ଉଠାଇଛି।

ତେବେ ଏହି ସମ୍ପର୍କରେ “ବିଜେଡି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପୁରୀ କେବଳ ଜଗନ୍ନାଥ ମନ୍ଦିର ଯୋଗୁଁ ଏକ ତୀର୍ଥସ୍ଥଳ ନୁହେଁ ବରଂ ଏହାର ସୁନ୍ଦର ବେଳାଭୂମି କାରଣରୁ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ଏହା ବ୍ୟତୀତ, ପ୍ରସ୍ତାବିତ ସ୍ଥାନ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟରେ ରହିଛି। ଏତତବ୍ୟତୀତ ଏହି ସ୍ଥାନଟି ସାତପଡ଼ାର ନିକଟରେ ଥିବାରୁ ଏହାକୁ ବିଜେଡି ଦ୍ବାରା ପ୍ରସ୍ତାବିତ କରାଯାଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ପ୍ରୋଜେକ୍ଟ ପାଇଁ ମୋଟ ୪୭୧.୪୦୧ ହେକ୍ଟର ଜମି ପ୍ରସ୍ତାବିତ ହୋଇଥିବା ବେଳେ ଏଥିରେ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଏବଂ ୮୯.୬୩୨ ହେକ୍ଟର ଘରୋଇ ଜମି ଅନ୍ତର୍ଭୁକ୍ତ ରହିଛି। ଅନ୍ତର୍ଭୁକ୍ତ ଥିବା ଘରୋଇ ଜମିକୁ ପୂର୍ବରୁ ଓଡ଼ିଶା ସରକାର ଅଧିଗ୍ରହଣ କରିଛନ୍ତି। କ୍ଲିଅରାନ୍ସ ହେବା ପୂର୍ବରୁ କୌଣସି ଜବରଦଖଲ ନହେବା ପାଇଁ ଆମେ ଜଙ୍ଗଲ ଜମିକୁ ମଧ୍ୟ ବାଡ଼ ଦେଇଛୁ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ଅନ୍ୟପକ୍ଷରେ ମଞ୍ଜୁରୀ ପୂର୍ବରୁ ଜଙ୍ଗଲ ଜମି ଚାରିପାଖରେ ୧୪୦୦ ମିଟର ସୀମା ପ୍ରାଚୀର ନିର୍ମାଣ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଏସି ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ସମୁଦ୍ରର ଅତି ନିକଟରେ ସୀମା ପ୍ରାଚୀର ନିର୍ମାଣ କରି ଉପକୂଳ ନିୟନ୍ତ୍ରଣ କ୍ଷେତ୍ର (ସିଆରଜେଡ) ବିଜ୍ଞପ୍ତି ୨୦୧୯ ର ନୀତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରକଳ୍ପ ପାଇଁ ବିଲୁପ୍ତପ୍ରାୟ ଅଲିଭ୍ ରିଡଲେ କଇଁଛଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡି ପାରେ ବୋଲି କୁହାଯାଇଛି। ଏହାବ୍ୟତୀତ ଏହି ପ୍ରକଳ୍ପ ସମୁଦ୍ର ଠାରୁ ଅତି କମ ଦୂରତା ହୋଇଥିବାରୁ ଏହା ଡଲଫିନମାନଙ୍କ ଉପରେ ମଧ୍ୟ କୁପ୍ରଭାବ ପକାଇବ ବୋଲି ଏଫଏସି ବୈଠକର ବିବରଣୀରେ ଉଲ୍ଲେଖ କରାଯାଇଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୩,୦୦୦ ରୁ ଅଧିକ ଗଛ କାଟିବା ଦ୍ବାରା ପରିବେଶ ପାଇଁ ଏହା ବହୁତ ବଡ କ୍ଷତି ବୋଲି କମିଟି କହିଛି। ପରିବେଶକୁ ହାନି ପହଞ୍ଚାଇବା ପରିବର୍ତ୍ତେ ଏହି ପ୍ରକଳ୍ପକୁ ଜଗତସିଂହପୁର, ଖୋର୍ଦ୍ଧା କିମ୍ବା ବ୍ରହ୍ମପୁରରେ କରାଯାଇପାରିବ ବୋଲି ବୈଠକରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରସ୍ତାବ ବିଚାରର ପ୍ରାରମ୍ଭିକ ପର୍ଯ୍ୟାୟରେ ସାମାଜିକ କର୍ମୀମାନେ ପରିବେଶଗତ ସମସ୍ୟା ଉଠାଇଥିଲେ। ଏସବୁ ପରେ ମଧ୍ୟ ଓଡ଼ିଶା ସରକାର ପ୍ରସ୍ତାବକୁ ଆଗକୁ ବଢାଇଥିଲେ। ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରୀ ପାଇଁ ଗତ ମାର୍ଚ୍ଚ ୪ ତାରିଖରେ ଜନ ଶୁଣାଣିରେ, ସ୍ଥାନୀୟ ବାସିନ୍ଦା ଆପତ୍ତି ଉଠାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନ, ଜଙ୍ଗଲରେ ବନ୍ୟ ପ୍ରାଣୀଙ୍କ ବାସସ୍ଥାନ, ବାରମ୍ବାର ଘୂର୍ଣ୍ଣିଝଡ଼ ସମୟରେ ଜଙ୍ଗଲର ଭୂମିକା, ସମୁଦ୍ରରେ ବର୍ଜ୍ୟ ଜଳ ନିଷ୍କାସନ, ଚାଷଜମି ଏବଂ ଜଙ୍ଗଲ ଦଖଲ ପରେ ଜୀବିକାଶୂନ୍ୟ ଭଳି ପ୍ରସଙ୍ଗ ରହିଥିଲା।

ଅଗଷ୍ଟ ୨୦୨୪ ରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ନୂତନ ବିଜେପି ସରକାର ବିମାନବନ୍ଦର ପାଇଁ ନୀତିଗତ ଅନୁମୋଦନ ପାଇବା ଉଦ୍ଦେଶ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରିଥିଲେ। ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦ୍ୱାରା ଲିଖିତ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରଣାଳୟ ୨୨ ଜୁଲାଇ, ୨୦୨୪ରେ ଉତ୍ତର ଦେଇଥିଲେ। ମନ୍ତ୍ରଣାଳୟ ଉତ୍ତର ଅନୁସାରେ, ଓଡ଼ିଶା ସରକାରଙ୍କୁ ଏକ ଡିପିଆର ପ୍ରସ୍ତୁତ କରିବାକୁ ପଡିବ। ଏହି ରିପୋର୍ଟରେ ବିକାଶ ଯୋଜନା, ପ୍ରକଳ୍ପ ମୂଲ୍ୟ, ପାଣ୍ଠି ଏବଂ ପ୍ରକଳ୍ପ ସମାପ୍ତ ହେବାର ସମୟସୀମା ଇତ୍ୟାଦି ରହିବ। ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ, ଅନୁମୋଦନ ପାଇଁ ଡିପିଆର ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରାଜ୍ୟ ସରକାରଙ୍କୁ ଏକ ଆବେଦନ ଦାଖଲ କରିବାକୁ ପଡିବ।

ଓଡ଼ିଶାରେ ବିଜେଡି ସରକାର କ୍ଷମତାଚ୍ୟୁତ ହେବା ପରେ ୬ ମାସରୁ କମ୍ ସମୟ ମଧ୍ୟରେ ପ୍ରକଳ୍ପଟି ଅଚଳାବସ୍ଥା ଆଡକୁ ଗତି କରୁଥିବା ମନେ ହେଉଛି। ଓଡ଼ିଶା ବିଧାନସଭାର ୧୪୭ ଆସନରୁ ୭୮ଟିରେ ବିଜୟୀ ହୋଇ ବିଜେପି କ୍ଷମତାକୁ ଆସିଥିଲା। ଅନ୍ୟପକ୍ଷରେ, ​​ବିଜେଡି ୫୧ ଆସନକୁ ଖସି ଆସିଥିଲା। ଏହି ପରିସ୍ଥିତିରେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ସେପ୍ଟେମ୍ବର ୨୦୨୩ରେ ପ୍ରଦାନ କରିଥିବା “ସାଇଟ୍ କ୍ଲିୟରାନ୍ସ” ସମ୍ପର୍କରେ ନିଜ ମତ ବଦଳାଇଥିବା ପରି ମନେ ହେଉଛି। ବିମାନବନ୍ଦର ପ୍ରସ୍ତାବ ଉଭୟ ବିଜେପି ଏବଂ ବିଜେଡି ଦ୍ୱାରା ସାଧାରଣ ଏବଂ ବିଧାନସଭା ନିର୍ବାଚନରେ ​​ଭୋଟ୍ ହାତେଇବା ପାଇଁ କରାଯାଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ କହିଛନ୍ତି, ବିମାନବନ୍ଦର ପ୍ରସ୍ତାବ କେବଳ ଏକ ରାଜନୈତିକ ବିଜ୍ଞାପନ ଥିଲା। ଓଡ଼ିଶା ପାଇଁ ପ୍ରସ୍ତାବିତ ଯେକୌଣସି ବିକାଶମୂଳକ କାର୍ଯ୍ୟ ସ୍ୱାଗତଯୋଗ୍ୟ। ବିକାଶମୂଳକ କାର୍ଯ୍ୟ କ୍ଷେତ୍ରରେ ବିରୋଧୀ ରାଜନୈତିକ ଦଳ ଏବଂ ସାଧାରଣ ଲୋକ ସର୍ବଦା ସହଯୋଗ କରିବେ। ତଥାପି, ଯଦି ନିର୍ବାଚନ ପୂର୍ବରୁ କେବଳ ନିର୍ବାଚନ ଲାଭ ପାଇଁ ବିକାଶମୂଳକ କାର୍ଯ୍ୟ ଘୋଷଣା କରାଯାଏ, ତେବେ ଭୋଟରମାନେ କ୍ଷମତାରେ ଥିବା ଯେକୌଣସି ବ୍ୟକ୍ତିଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନବନ୍ଦରର ପ୍ରସ୍ତାବ ଦେଇଥିଲେ। ଫେବୃଆରୀ ୨୦୨୩ରେ, ବିଜେଡି ସରକାର ୨,୨୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ପିପିପି ମଡେଲରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଟେଣ୍ଡର ମଧ୍ୟ ଜାରି କରିଥିଲେ। ରିପୋର୍ଟ ଅନୁଯାୟୀ, ଆଦାନୀ ବିମାନବନ୍ଦର, ଫେୟାରଫ୍ୟାକ୍ସ ଏବଂ GMR ଗ୍ରୁପ୍ ଏହି ବିମାନବନ୍ଦର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମେ ୨୦୨୩ରେ ପଟ୍ଟନାୟକ ମୋଦିଙ୍କୁ ଭେଟି ପ୍ରକଳ୍ପର ଗୁରୁତ୍ୱ ବିଷୟରେ ଆଲୋଚନା କରିବା ପରେ ପ୍ରକଳ୍ପଟି ଦ୍ରୁତ ଗତିରେ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୨୦୨୩ରେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୁରୀ ସହରରୁ ପ୍ରାୟ ୨୯ କିଲୋମିଟର ଦୂରରେ ବିମାନବନ୍ଦର ପାଇଁ “ସାଇଟ୍ କ୍ଲିଅରାନ୍ସ” ପ୍ରଦାନ କରିଥିଲା। ନଭେମ୍ବର ୨୦୨୩ରେ, ପରିବେଶ ମନ୍ତ୍ରଣାଳୟ ପ୍ରକଳ୍ପର ଇଆଇଏ କରିବା ପାଇଁ ଓଡ଼ିଶା ସରକାରଙ୍କୁ ସର୍ତ୍ତାବଳୀ ପ୍ରଦାନ କରିଥିଲା।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.