ଭୁବନେଶ୍ଵର: ବଦଳିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେପଟେ ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ମିଳିଥିଲା।
ରାଜ୍ୟପାଳ ଭାବେ ନିଯୁକ୍ତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହରିବାବୁ କମ୍ଭମପତି କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କାମ କରିବି । ଓଡ଼ିଆ ଲୋକଙ୍କ ଉନ୍ନତି ପାଇଁ କାମ କରିବି । ଖଣିଜ ସଂପଦରେ ଭରପୂର ଏହି ଓଡ଼ିଶା । ଶିଳ୍ପର ବିକାଶ ପାଇଁ ଏଠି ସମ୍ଭାବନା ଅଧିକ ରହିଛି । ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବି ବୋଲି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ।
ତେବେ ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ। ପୂର୍ବରୁ ଶ୍ରୀ କମ୍ଭମପତି ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୨୧ ଜୁଲାଇ ମାସରେ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ କମ୍ଭମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ।
ସେପଟେ ଓଡ଼ିଶା ସମେତ ମୋଟ ୫ଟି ରାଜ୍ଯରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବତନ ସେନାଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି କେ ସିଂହ ମିଜୋରାମର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେହିପରି ବିହାରର ରାଜ୍ଯପାଳ ରାଜେନ୍ଦ୍ର ବିଶ୍ଵନାଥ ଅର୍ଲେକରଙ୍କୁ କେରଳର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି । ଏହାସହ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳ ଭାବେ ଦାୟିତ୍ଵ ଦିଆଯାଇଛି। ସେହିପରି ଅଜୟ କୁମାର ଭଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।