Latest Odisha News

ସୂର୍ଯ୍ୟ ନିକଟକୁ ପହଞ୍ଚିଲା ପାର୍କର ସୋଲାର ପ୍ରୋବ, କେବେ ଆସିବ ସୂର୍ଯ୍ୟର ସମସ୍ତ ଅପଡେଟ୍?

ନାସାର ମହାକାଶଯାନ ପାର୍କର ସୋଲାର ପ୍ରୋବ୍ ସୂର୍ଯ୍ୟର ଅତି ନିକଟତର ହୋଇ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ସୂର୍ଯ୍ୟର ଉତ୍ତାପ ଥିପାଇଁ ଆଜି ପର୍ଯ୍ୟନ୍ତ କୌଣସି ବି ଅନ୍ତରୀକ୍ଷ ଯାନ, ଏହାର ଅତି ନିକଟକୁ ଯିବାରେ ସକ୍ଷମ ହେଇପାରିନି। ହେଲେ ଆମେରିକାର ସ୍ପେଶ୍ ଏଜେନ୍ସିଂ ‘ନାସା’ର ଗୋଟିଏ ଅନ୍ତରୀକ୍ଷ ଯାନ ପାର୍କର ସୋଲାର ପ୍ରୋବ (ପିଏସପି) ସୂର୍ଯ୍ୟର ଅତି ନିକଟରେ ପହଞ୍ଚିବା ସହିତ, ଏକ ବିରଳ ରେକର୍ଡର ଅଧିକାରୀ ହେଇଛି। ଡିସେମ୍ବର ୨୪ ତାରିଖ ସକାଳ ପ୍ରାୟ ୭ଟା ସମୟରେ ଏହି ଅନ୍ତରୀକ୍ଷ ଯାନଟି ସୂର୍ଯ୍ୟଙ୍କର ଅତି ନିକଟରେ ପହଞ୍ଚି ପାରିଛି।

ଏହା ସୂର୍ଯ୍ୟ ପୃଷ୍ଠରୁ ୬୧ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମନୁଷ୍ୟ ଦ୍ୱାରା ଏପରି କୌଣସି ଜିନିଷ ତିଆରି କରାଯାଇ ନାହିଁ, ଯାହା ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହୋଇପାରିବ। ଯେତେବେଳେ ଏହି ଯାନ ସୂର୍ଯ୍ୟ ନିକଟକୁ ଯାଉଥିଲା, ଏହାର ବେଗ ଘଣ୍ଟା ପ୍ରତି ୬ ଲକ୍ଷ ୯୦ ହଜାର କିଲୋମିଟର ଥିଲା। ତେବେ ବର୍ତ୍ତମାନ ଏକ ପ୍ରଶ୍ନ ଉଙ୍କି ମାରୁଛି କି ଏହି ଯାନ ଜୀବନ୍ତ ଫେରି ଆସିଛି ନା ସୂର୍ଯ୍ୟର ତାପମାତ୍ରାରେ ଜଳି ଯାଇଛି।

ସୂର୍ଯ୍ୟକିରଣ ଯେତିକି ଲାଭଦାୟକ, ଏହାର ତାପମାତ୍ରା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଏଭଳି ପରିସ୍ଥିତିରେ ନାସାର ପାର୍କର ସୋଲାର ପ୍ରୋବ୍ ସୂର୍ଯ୍ୟର ନିକଟତର ହୋଇ ତଥ୍ୟ ସଂଗ୍ରହ କରିବାର କାର୍ଯ୍ୟ ଶେଷ କରୁଛି। ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମିଶନ ବୈଜ୍ଞାନିକ ନୁର ରୱାଫି କହିଛନ୍ତି ଯେ ଯେତେବେଳେ ମହାକାଶଯାନରୁ ସିଗନାଲ ଗ୍ରହଣ କରିବାର ସମୟ ପାଖେଇ ଆସିଲା, ସେତେବେଳେ ମିଶନ ବିଶେଷଜ୍ଞଙ୍କ ଦଳ ମେରିଲାଣ୍ଡରେ ଥିବା ନାସାର ନିୟନ୍ତ୍ରଣ କକ୍ଷରେ ଅପେକ୍ଷା କରିଥିଲେ। ଅବଶ୍ୟ, ନିର୍ଦ୍ଧାରିତ ସମୟର କିଛି ସେକେଣ୍ଡ ପୂର୍ବରୁ ସିଗନାଲ୍ ଗ୍ରହଣ କରାଯାଇଥିଲା। ଏହା କେବଳ ଦଳକୁ ଆରାମ ଦେଇନଥିଲା ବରଂ ମିଶନର ସଫଳତାକୁ ମଧ୍ୟ ପ୍ରମାଣ ଯୋଗାଇଥିଲା। ​

ପାର୍କର ସୋଲାର ପ୍ରୋବ ମିଶନ ପାଇଁ ପ୍ରୋଜେକ୍ଟ ବୈଜ୍ଞାନିକ ନୁର ରୱାଫିଙ୍କ ଅନୁଯାୟୀ ପାର୍କର ସୂର୍ଯ୍ୟ ନିକଟରୁ ଉଠାଇଥିବା ଚିତ୍ର ଆସନ୍ତା ବର୍ଷ ଜାନୁଆରୀରେ ଉପଲବ୍ଧ ହେବ। ଏହା ବ୍ୟତୀତ, ମହାକାଶଯାନ ସୂର୍ଯ୍ୟଠାରୁ ଟିକିଏ ଦୂରରେ ଗତି କଲାବେଳେ ମିଶନର ବାକି ତଥ୍ୟ ଉପଲବ୍ଧ ହେବ। ରୱାଫି କହିଛନ୍ତି, ପାର୍କର ପ୍ରଥମ ଷ୍ଟାଟସ୍ ଅପଡେଟ୍ ପାଇଁ ଆମେ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛୁ।

ମିଳିଥିବା ସୂଚନା ମୁତାବକ, ପାର୍କର ସୋଲାର ପ୍ରୋବ୍ ନାମକ ଏହି ଅନ୍ତରୀକ୍ଷ ଯାନଟି ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳ ଦେଇ ଗତି କରିଛି। ଯାହାକି ସୂର୍ଯ୍ୟଙ୍କଠାରୁ ପ୍ରାୟ ୩.୮ ମିଲିୟନ ଦୂରରେ। ମହାକାଶରେ ଗତି କରୁଥିବା ଏହି ଅନ୍ତରୀକ୍ଷ ଯାନର ସେତେବେଳେ ସ୍ପିଡ ଥିଲା ୪ ଲକ୍ଷ ୩୦ କିଲୋମିଟର ପ୍ରତି ଘଣ୍ଟା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ମାନବ ନିର୍ମିତ ବସ୍ତୁ ଦ୍ୱାରା କୌଣସି ତାରାର ଅତି ନିକଟରେ ଯିବା ଅନ୍ତରୀକ୍ଷ ଯାନର ରେକର୍ଡ ହାସଲ କରିଛି ପାର୍କର ସୋଲାର ପ୍ରୋବ ।

ଅନେକ ରହସ୍ୟ ପ୍ରକାଶ ପାଇବ
ସୂର୍ଯ୍ୟର ନିକଟତର ହୋଇଥିବା ନାସାର ପାର୍କର ସୋଲାର ପ୍ରୋବ ଏହି ସମୟ ମଧ୍ୟରେ ପ୍ରାୟ ୯୮୦ ଡିଗ୍ରୀ ସେଲସିୟସର ପ୍ରବଳ ତାପମାତ୍ରା ସହ୍ୟ କରିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟର ବାହ୍ୟ ସ୍ତରକୁ ଅଧ୍ୟୟନ କରିବା, ଯାହାକୁ କୋରୋନା କୁହାଯାଏ। ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ ଏହି ମିଶନ୍ ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳୀୟ ସ୍ତର ସହିତ ଜଡିତ ଅନେକ ରହସ୍ୟ ପ୍ରକାଶ କରିବ।

ସୂର୍ଯ୍ୟଙ୍କ ଅତି ନିକଟରେ ଯିବା ସହ ମହାକାଶଯାନଟି ସୂର୍ଯ୍ୟଙ୍କ ଉଚ୍ଚ ତାପମାତ୍ରା ଅଧ୍ୟୟନ ପାଇଁ ତଥ୍ୟ ସଂଗ୍ରହ କରିଥିଲା। ତେବେ ସୂର୍ଯ୍ୟଙ୍କ ନିକଟରେ ଅତିକ୍ରମ କରିବାକୁ, ମହାକାଶଯାନଟିକୁ ୧୮୦୦ ଡିଗ୍ରୀ ଫାରେନାଇଟ୍ (୯୮୦ ଡିଗ୍ରୀ ସେଲସିୟସ୍) ପର୍ଯ୍ୟନ୍ତ ତାପମାତ୍ରାକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ତେବେ ଏହା ୧୩୭୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିବାକୁ ପ୍ରସ୍ତୁତ ଥିଲା ବୋଲି ରିପୋର୍ଟ ରହିଛି । ଭବିଷ୍ୟତରେ ମଧ୍ୟ ଏହା ୨୦୨୫ ମସିହା ମାର୍ଚ୍ଚ ୨୨ ତାରିଖ ଏବଂ ଜୁନ୍ ୧୯ ତାରିଖରେ ସୂର୍ଯ୍ୟଙ୍କ ଅତି ନିକଟ ଦେଇ ଗତି କରିବ।

ଏତେ ବିପଜ୍ଜନକ ତାପମାତ୍ରାକୁ ସହ୍ୟ କରିବା ପାଇଁ ପାର୍କର ସୋଲାର ପ୍ରୋବରେ ଏକ ସ୍ୱତନ୍ତ୍ର ହିଟ୍ ସିଲ୍ଡ ଖଞ୍ଜା ଯାଇଥିଲା। ଏହି ସିଲ୍ଡ ମହାକାଶଯାନର ଯନ୍ତ୍ରପାତିକୁ ସୂର୍ଯ୍ୟର ପ୍ରଚଣ୍ଡ ଉତ୍ତାପରୁ ରକ୍ଷା କରିଥାଏ। ଏଥିସହ, ଯାନଟି ସ୍ୱୟଂଚାଳିତ ପ୍ରଣାଳୀ ସହିତ ସଜ୍ଜିତ ହୋଇଛି ଯାହା ସୌର ବିକିରଣ ଏବଂ ଅତ୍ୟଧିକ ତାପମାତ୍ରାରୁ ସୁରକ୍ଷା ସୁନିଶ୍ଚିତ କରେ। ପାର୍କର ସୋଲାର ପ୍ରୋବ ଦ୍ୱାରା ସଂଗୃହିତ ତଥ୍ୟ କେବଳ ସୂର୍ଯ୍ୟର ରହସ୍ୟ ବୁଝିବାରେ ବ୍ୟବହୃତ ହେବ ନାହିଁ, ବରଂ ଏହା ବ୍ରହ୍ମାଣ୍ଡ ବିଜ୍ଞାନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସହାୟକ ହେବ। ବୈଜ୍ଞାନିକମାନେ କହିଛନ୍ତି ଯେ କୋରୋନାର ତାପମାତ୍ରା ବୁଝିବା କେବଳ ସୌର କାର୍ଯ୍ୟକଳାପ ଅଧ୍ୟୟନ କରିବା ସହଜ କରିବ ନାହିଁ, ବରଂ ଏହା ପୃଥିବୀ ଉପରେ ଏହାର ପ୍ରଭାବ ବୁଝିବାରେ ମଧ୍ୟ ସହାୟକ ହେବ। ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅଗଷ୍ଟ ୧୨ ତାରିଖରେ ଏହି ମହାକାଶ ଯାନଟି ଆମେରିକାର ଫ୍ଲୋରିଡା ସହରରୁ ଲଞ୍ଚ ହେଇଥିଲା । ସୂର୍ଯ୍ୟଙ୍କ ବାୟୁମଣ୍ଡଳକୁ ସିଧା ଯାଇଥିବା ପ୍ରଥମ ଅନ୍ତରୀକ୍ଷ ଯାନ ହେଉଛି ପାର୍କର ସୋଲାର ପ୍ରୋବ ।

 

Comments are closed.