Latest Odisha News

ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ, ଚାରି ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଛି। ଚୂନ ଛଡାଯିବା ପରେ ପଥରର ସରଫେସ ଦେଖାଗଲାଣି। ଅନେକ ପଥରରେ ଫାଟ ରହିଛି। ଡିସେମ୍ବର ୨୫ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିଲା।

ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଜାନୁଆରୀ ୩ ତାରିଖ ଅର୍ଥାତ୍ ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯଥା ରିତିରେ ଚାଲିବ।

ପଥର ପଥର ଭିତରେ ଲୁହା ଛଡରେ ଜଏଣ୍ଟ କରାଯାଇଥିବାରୁ ଲୁହା ଛଡ ଫୁଲିବା ଯୋଗୁଁ ପଥରରେ ଫାଟ ହୋଇଛି। ଫାଟ ଯୋଗୁଁ ସମସ୍ତ ପଥର ପରିବର୍ତ୍ତନ କରାଯିବ। ପରେ ଲୁହା ବିମ ଗୁଡିକ କଳଙ୍କି ଲାଗିଯାଇଥିବାରୁ ଜଗମୋହନ ଭଳି ଷ୍ଟିଲ ବିମ ଲଗାଯିବ।

ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାରର ବାହାର ପଟ ମରାମତି କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ପରେ ମରାମତି କାମ ହେବ। ଏହି ସମୟରେ ଭିତରକାଠ ଦର୍ଶନ ବନ୍ଦ ରହିବ।

ଅନ୍ୟପଟେ ଆଜିଠୁ ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ । ନୂଆବର୍ଷ ଭିଡ଼ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରାଯାଇଥିଲା। ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ। ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ।

Comments are closed.