ନୂଆଦିଲ୍ଲୀ : ପୁଣି ଚୀନର ଦାଦାଗିରି । ମାଡ଼ି ବସିଲା ଲଦାଖର କିଛି ଅଂଶ । ଚୀନ ଏବେ ତାର ଭୌଗଳିକ ପରିସୀମାରେ ଆଉ ଦୁଇଟି କାଉଣ୍ଟି ଯୋଡ଼ିଛି । ଜିନଜିଆଙ୍ଗ ଅଟୋନମସ୍ ରିଜିଅନ୍ ଅଧୀନରେ ଏହି ଦୁଇଟି ନୂଆ କାଉଣ୍ଟି କରିଛି ଚୀନ । ଗୋଟିକର ନାମ ହେ’ଆନ୍ ଓ ଅନ୍ୟଟିର ନାମ ହେକାଙ୍ଗ । ଏହି ଦୁଟି କାଉଣ୍ଟିର କିଛି ଅଂଶ ଲଦାଖରେ ଆସୁଛି । ଦୁଇଟିଯାକ କାଉଣ୍ଟିକୁ ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନର କେନ୍ଦ୍ରୀୟ କମିଟି ଅନୁମୋଦନ କରିଛି ।
ଅନ୍ୟପଟେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ଡ୍ୟାମ ପ୍ରକଳ୍ପକୁ ନେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ତିବ୍ବଦର ୟାରଲୁଙ୍ଗ ସାଙ୍ଗପୋ (ଭାରତୀୟ କ୍ଷେତ୍ରରେ ବ୍ରହ୍ମପୁତ୍ର) ନଦୀ ଉପରେ ବିଶ୍ଵର ସବୁଠୁ ବଡ଼ ଡ୍ୟାମ ନିର୍ମାଣ କରିବା ନେଇ ଘୋଷଣା କରିଛି। ନଦୀ ଜଳ ଉପରେ ଆମର ଅଧିକାର ମଧ୍ୟ ରହିଛି। ଆମେ ନିୟମିତ ଭାବେ ବିଶେଷଜ୍ଞ ସ୍ତର ଏବଂ କୁଟନୈତିକ ସ୍ତରରେ ଚୀନ ପକ୍ଷକୁ ଆମ ବିଚାର ଓ ଚିନ୍ତା ବିଷୟରେ ଅବଗତ କରାଇଛୁ। ଏନେଇ କୂଟନୈତିକ ସ୍ତରରେ ବି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଭାରତ ତାର ସାର୍ବଭୌମତ୍ବକୁ କେବେ ବି ପ୍ରତିହତ ହେବାକୁ ଦେବ ନାହିଁ ଏବଂ ଚୀନର ଏଭଳି ବେଆଇନ ଜବରଦଖଲକୁ ଆଦୌ ଗ୍ରହଣ କରିବ ନାହିଁ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।
ତିବ୍ବତ ଅଞ୍ଚଳରେ ଚୀନ ଏକ ବୃହତ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରୁଥିବା ନିକଟରେ ନଜରକୁ ଆସିଛି । ଆଉ ଏବେ ଲଦାଖର କିଛି ଅଂଶକୁ ନିଜ ଭୌଗଳିକ ପରିସୀମାରେ ମିଶାଇଛି । କୋଭିଡ୍ ସମୟରେ ଲଦାଖ ଅଞ୍ଚଳର ୪ ହଜାର ବର୍ଗ କିଲୋମିଟର ମାଡ଼ି ବସିଥିଲା ଚୀନ । ବିରୋଧୀ, ଏ ପ୍ରସଙ୍ଗକୁ ଯେତେ ଉଠାଇଲେ ମଧ୍ୟ, ସରକାର ଆଦୌ କର୍ଣ୍ଣପାତ କରି ନଥିଲେ । ଚୀନ ଇଞ୍ଚେ ଜମି ନେଇ ନଥିବା କିମ୍ବା ଭାରତ କାହାକୁ ଇଞ୍ଚେ ଜମି ଛାଡ଼ିବ ନାହିଁ ବୋଲି କହି ଚାଲିଥିଲେ । କିନ୍ତୁ ଏବେ ଚୀନର ନୂଆ କାଉଣ୍ଟିରେ ଲଦାଖର କିଛି ଅଂଶ ଥିବା ଦେଖି ମୁହଁ ଖୋଲିଛି ବୈଦେଶିକ ମନ୍ତ୍ରାଳୟ ।
Comments are closed.