ସିଡନୀ: ଅଷ୍ଟ୍ରେଲିଆରେ ସୁନା ସନ୍ଧାନରେ ବାହାରିଥିବା ଜଣେ ବ୍ୟକ୍ତି ୧୭ କିଲୋଗ୍ରାମର ଏକ ରହସ୍ୟମୟ ପଥର ପାଇଥିଲେ, ଯାହା ଯାଞ୍ଚ ପରେ ୪.୬ ବିଲିୟନ ବର୍ଷ ପୁରୁଣା ଉଲ୍କାପିଣ୍ଡ ବୋଲି ଜଣାପଡ଼ିଛି। ଏହାକୁ ‘ମ୍ୟାରିବୋରୋ ଉଲ୍କାପିଣ୍ଡ’ ନାମ ଦିଆଯାଇଛି ଏବଂ ବର୍ତ୍ତମାନ ଏହାକୁ ଭିକ୍ଟୋରିଆ ମ୍ୟୁଜିୟମରେ ରଖାଯାଇଛି । ବୈଜ୍ଞାନିକମାନଙ୍କ ଅନୁଯାୟୀ, ଏହା ବ୍ରହ୍ମାଣ୍ଡ ଓ ସୌରମଣ୍ଡଳ ସୃଷ୍ଟି ସମ୍ପର୍କିତ ଅନେକ ରହସ୍ୟ ଖୋଲିପାରେ । ଡେଭିଡ୍ ହୋଲ୍ ନାମକ ଏହି ବ୍ୟକ୍ତି ୨୦୧୫ ମସିହାରେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ସ୍ଥିତ ମ୍ୟାରିବୋରୋ ନ୍ୟାସନାଲ ପାର୍କରେ ସୁନା ଖୋଜୁଥିବା ବେଳେ ଏହି ହଳଦିଆ ରଙ୍ଗର ପଥର ପାଇଥିଲେ ।
ପ୍ରଥମେ ଏହା ସୁନା ହୋଇଥାଇପାରେ ବୋଲି ଭାବି ସେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହେବା ପରେ ୧୭ କିଲୋର ଏହି ପଥରକୁ ଘରକୁ ନେଇଯାଇଥିଲେ । ପରବର୍ତ୍ତୀ ତିନି ବର୍ଷ ଧରି ସେ ପଥରଟିକୁ ଭାଙ୍ଗିବାକୁ କରତ, ଡ୍ରିଲ୍ ମେସିନ୍, ହାତୁଡ଼ି ଏବଂ ଏପରିକି ଏସିଡ୍ ମଧ୍ୟ ବ୍ୟବହାର କରିଥିଲେ, କିନ୍ତୁ କୌଣସି ପ୍ରଭାବ ପଡ଼ି ନଥିଲା । ଭୂତତ୍ତ୍ୱବିତ୍ ଡର୍ମୋଟ୍ ହେନରୀ ଏବଂ ବିଲ୍ ବିର୍ଚ୍ଚ ଏହାର ପରୀକ୍ଷା କରି ଏହାକୁ ଏକ ଉଲ୍କାପିଣ୍ଡ ବୋଲି ପ୍ରମାଣିତ କରିଥିଲେ । ପଥରର ପୃଷ୍ଠଭାଗରେ ଥିବା ଆଙ୍ଗୁଠି ଛାପ ଭଳି ଚିହ୍ନ ଏବଂ ମାଇକ୍ରୋସ୍କୋପ୍ ଯାଞ୍ଚରୁ ଏହା ସ୍ପଷ୍ଟ ହୋଇଥିଲା । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହା ପ୍ରାୟ ୪.୬ ବିଲିୟନ ବର୍ଷ ପୂର୍ବେ ମହାକାଶରେ ସୃଷ୍ଟି ହୋଇଥିବା ଆମ ସୌରମଣ୍ଡଳର ଏକ ଅଂଶ ।
