Latest Odisha News

BREAKING NEWS

ଭାରତ-ବାଂଲାଦେଶ ସମ୍ପର୍କରେ ଉନ୍ନତି: ଦୁଇ ଦେଶ ମଧ୍ଯରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି। କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଦୁଇ ଦେଶ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି। କାରଣ ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ କରାଯିବ। ଏନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ।

ତିନି ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ ବନ୍ଦି ଥିବା ୬ଟି ଡଙ୍ଗା ସହିତ ୯୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ବାଂଲାଦେଶ ମୁକ୍ତ କରିବ। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲା। ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ, ମତ୍ସ୍ୟଜୀବୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ବାଂଲାଦେଶ ମଧ୍ୟ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଅତିକ୍ରମ କରିଥିବାରୁ କେତେକ ଭାରତୀୟ ନାଗରିକଙ୍କୁ ବାଂଲାଦେଶ କର୍ତ୍ତୃପକ୍ଷ ଗିରଫ କରିଥିଲେ। ସେହିପରି କେତେକ ବାଂଲାଦେଶୀ ଧୀବରଙ୍କୁ ଭାରତ ଗିରଫ କରିଛି।

ଦୁଇ ଦେଶ ମଧ୍ଯରେ ହୋଇଥିବା ବୁଝାମଣା ଅନୁସାରେ ୯୫ ଜଣ ଭାରତୀୟଙ୍କୁ ତଟରକ୍ଷୀ ବାହିନୀ ହାତରେ ଅର୍ପଣ କରିବେ ବାଂଲାଦେଶ କର୍ତ୍ତୃପକ୍ଷ। ସେହିପରି ୯୦ ଜଣ ବାଂଲାଦେଶୀ ଧୀବରଙ୍କୁ ମୁକ୍ତ କରିବ ଭାରତ। ଦୁଇ ଦେଶର ତଟରକ୍ଷୀ ବାହିନୀ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଅଦଳବଦଳ ପ୍ରକ୍ରିୟା ସୁରୁଖୁରୁରେ ହେବ ବୋଲି କହିଥିଲେ ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ବିଭାଗ ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ। ଗତ ଡିସେମ୍ବରରେ ବାଂଲାଦେଶକୁ ଭାରତର ବୈଦେଶିକ ସଚିବ ବିକ୍ରମ ମିଶରିଙ୍କ ଗସ୍ତ ପରେ ଏହା ହେଉଛି ଦୁଇ ଦେଶ ମଧ୍ଯରେ ଏକ ଉଲ୍ଲେଖନୀୟ ସମ୍ପର୍କର ନିଦର୍ଶନ।

 

Comments are closed.