ପାଟନା : ଭାରତରୁ ଚୀନକୁ ଚାଲାଣ ହେଉଛି ମଣିଷ କେଶ। ଦକ୍ଷିଣ ଭାରତର କିଛି ମନ୍ଦିରରୁ ଚୋରି କରାଯାଇ ଭାୟା ବିହାର ହୋଇ ନେପାଳ ରାସ୍ତାରେ ଚୀନକୁ ଚୋରା ଚାଲାଣ ହେଉଛି ମଣିଷ କେଶ। ଏବେ ଏହି ରାକେଡକୁ ଧରିଛି ଡାୟରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜନ୍ସ (ଡିଆରଆଇ) । ପଶ୍ଚିମବଙ୍ଗର ଦୁଇ ଚୋରା ଚାଲାଣକାରୀଙ୍କ ସହ ବିହାରର ଜଣେ ବ୍ୟକ୍ତିଙ୍କୁ ଧରିଛି ଡିଆରଆଇ। ବିହାର ନେପାଳ ସୀମା ମଧୁବନି ନିକଟରେ ଏହି ଚୋରା ଲାଣାକାରୀଙ୍କୁ ଡିଆରଆଇ ଟିମ ଗିରଫ କରିଥିବା ଜଣାପଡ଼ିଛି।
ଗିରଫ ହୋଇଥିବା ଚୋରା ଚାଲାଣକାରୀ ବିହାର ବାଟ ଦେଇ ମଣିଷ କେଶ ଚୋରା ଚାଲାଣ କରୁଥିବାର ଖବର ପାଇଥିଲା ଡିଆରଆଇ ଟିମ୍। ପଶ୍ଚିମବଙ୍ଗର ଏକ ଟ୍ରକ ମଧୁବନି କ୍ରସ୍ କରୁଥିବା ବେଳେ ଡିଆରଆଇ ଟିମ୍ ଏହାକୁ ଅଟକାଇଥିଲା। ଏହାପରେ ଜଣା ପଡ଼ିଥିଲା ଯେ ଟ୍ରକରେ ମଣିଷ କେଶ ଭର୍ତ୍ତି ହୋଇ ରହିଛି। ପଚରାଉଚାରା ବେଳେ ଚୋରା ଚାଲାଣକାରୀ କହିଥିଲେ ଯେ ଏହି ମଣିଷ କେଶକୁ ସେମାନେ ଦକ୍ଷିଣ ଭାରତର କିଛି ମନ୍ଦିରରୁ ଚୋରି କରିଥିଲେ। ତିରୁପତି ବାଲାଜି ମନ୍ଦିରରେ ହେଉଥିବା ମୁଣ୍ଡନରେ ଭକ୍ତମାନେ ମଣିଷ କେଶ ଦାନ କରିଥାନ୍ତି। ସେମାନେ ଏହାକୁ ଚୋରି କରି ଚୀନ ଚାଲାଣ କରୁଥିବା ଜଣାପଡ଼ିଛି। ଯାହାର ମୂଲ୍ୟ ହେବ ପ୍ରାୟ 80 ଲକ୍ଷ ଟଙ୍କା ।
ଡାୟରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଭାରତରେ କେଶ ଚାଲଣ କିମ୍ୱା ବିକ୍ରୟ କରିବା ବେଆଇନ। କେତେକ ଗ୍ୟାଙ୍ଗ ଏହାକୁ ନେପାଳ ଦେଇ ଚୀନକୁ ଚୋରା ଚାଲାଣ କରୁଛନ୍ତି। କୁହାଯାଉଛି ଯେ ଏହି କେଶରୁ ୱିଗ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ତିଆରି ହେଉଥିବାରୁ ଚୀନରେ ଏହାର ଖୁବ ଚାହିଦା ରହିଛି। ଚୀନରେ ଏହି ମଣିଷ କେଶରୁ ତିଆରି ହେଉଥିବା ସାମଗ୍ରୀ ବିଭିନ୍ନ ଦେଶରେ ବିକ୍ରି ହୋଇଥାଏ। ପୂର୍ବରୁ ମଧ୍ୟ ଏପରି ମଣିଷ କେଶ ଚୋରା ଚାଲାଣ ମାମଲାରେ ଇଡି ଅନେକ ଥର ରେଡ୍ କରିବା ସହ ଏଥିରେ ସାମିଲ ହେଉଥିବା ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିଛି । ଏହାପରେ ମଧ୍ୟ ମଣିଷ କେଶ ଚୋରା ଚାଲାଣ କମୁ ନାହିଁ।