ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଅଜବ ଘଟଣା ସାମ୍ନାକୁ ଆସିଛି । ଯାତ୍ରା କରୁଥିବା ସମୟରେ ଜଳଖିଆ ପାଇଁ ବରା ଅର୍ଡର କରିବା ଜଣେ ଯାତ୍ରୀଙ୍କ ଖାଇବା ବେଳେ ସେଥିରୁ ଏକ ଲୁହା ବୋଲ୍ଟ ବାହାରିଛି । ଯାହା ଦେଖି ଯାତ୍ରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବେଙ୍ଗାଲୁରୁ-ବେଲଗାଭି ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଏଭଳି ଘଟଣା ଘଟିଛି ।
ବରା ଭିତରୁ ବୋଲ୍ଟ ବାହାରିବା ଘଟଣାର ଭିଡିଓ ଯାତ୍ରୀ ଜଣକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ସାମ୍ନାକୁ ଆସିବା ପରେ ରେଳବାଇରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଆଇଆରସିଟିସି କ୍ଷମା ପ୍ରାର୍ଥନା କରିବା ସହ ସମ୍ପୃକ୍ତ କ୍ୟାଟରିଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଟ୍ରେନ୍ ନମ୍ବର ୨୬୭୫୨, ଅର୍ଥାତ୍ କେଏସ୍ଆର୍ ବେଙ୍ଗାଲୁରୁ-ବେଲଗାଭି ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଏହି ଘଟଣା ଘଟିଥିଲା। ଟ୍ରେନ୍ରେ ଯାତ୍ରା କରୁଥିବା ସମର୍ଥ କୋଡିଆଲ ଜଳଖିଆରେ କଫି ସହ ବରା ନେଇଥିଲେ । ଖାଇବା ଆରମ୍ଭ କରିବା ପରେ ବରା ଭିତରୁ ଏକ ଧାତବ ବୋଲ୍ଟ ବାହାରିଥିଲା ।
ଏହାପରେ ଯାତ୍ରୀ ଜଣକ ଏହି ଘଟଣାର ଫଟୋ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ସେୟାର କରିଥିଲେ। ଖାଦ୍ୟ ପ୍ରସ୍ତୁତି ସମୟରେ ଏତେ ବଡ଼ ଧାତବ ପଦାର୍ଥ କିପରି କାହା ନଜରକୁ ଆସିଲା ନାହିଁ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏହାକୁ ଖାଦ୍ୟର ଗୁଣବତ୍ତା ଓ ଯାତ୍ରୀଙ୍କ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତର ଅବହେଳା ବୋଲି ସେ ଅଭିଯୋଗ କରିଥିଲେ।
