ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆରଜି କର ମେଡିକାଲ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଘଟଣାର ଆସିଛି ବଡ଼ ଖବର । ଗୁରୁବାର ଏହି ମାମଲାର ଶୁଣାଣି କରିଛନ୍ତି କୋଲକାତାର ସିୟାଲଦା କୋର୍ଟ । ହେଲେ ଶୁଣାଣିର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆସନ୍ତା ଜାନୁଆରୀ ୧୮ ତାରିଖରେ କୋର୍ଟ ରାୟ ଶୁଣାଇବେ ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି କୋର୍ଟରେ ଶୁଣାଣି ବେଳେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟର ମୃତ୍ୟୁ ଦଣ୍ଡ ଦାବି କରିଛି ।
ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ୍ ଅନିର୍ବାନ ଦାସଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ଉପସ୍ଥିତ ରହିଥିଲା । ତେବେ ଏହି ମାମଲାରେ ତାଙ୍କୁ ଫସାଯାଇଛି ଏବଂ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ସଂଜୟ ରାୟ କୋର୍ଟରେ ବୟାନ ଦେଇଥିଲା । ଅନ୍ୟପଟେ ସିବିଆଇ ଚାର୍ଜସିଟ୍ ଦର୍ଶାଇଛି ଯେ ସଞ୍ଜୟ ରାୟ ହିଁ ଏହି ଘଟଣାର ଏକମାତ୍ର ଅଭିଯୁକ୍ତ। ପୀଡ଼ିତାଙ୍କଠାରୁ ନିଆଯାଇଥିବା ସିମନର ସମ୍ପାଲ ସହ ସଞ୍ଜୟ ସହ ମେଳ ଖାଉଛି ବୋଲି ସିବିଆଇ ଚାର୍ଜସିଟରେ ଦର୍ଶାଇଛି ।
ସୂଚନା ଥାଉକି, ଏହି ଘଟଣାରେ କୋଲକାତାରେ ଆଜି ବି ଡାକ୍ତର ଓ ସାଧାରଣ ଲୋକ ବିରୋଧ ପ୍ରଦର୍ଶନ କରୁଛନ୍ତି । ତଦନ୍ତରେ ଅବହେଳା ଓ ହସ୍ପିଟାଲ କତୃପକ୍ଷଙ୍କ ସମ୍ପୃକ୍ତି ଥିବା ନେଇ ପୂରା ଦେଶରେ ମମତା ସରକାରଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ ଘଟଣାର ତଦନ୍ତ କରୁଥିବା ସିବିଆଇକୁ ମଧ୍ୟ ହଇରାଣ କରାଯାଉଥିବାର ଖବର ସାମ୍ନାକୁ ଆସିଥିଲା । ଯାହା ଲୋକଙ୍କ ଆକ୍ରୋସକୁ ଆହୁରି ବଢ଼ାଇଥିଲା । ଦୁଷ୍କର୍ମ ଘଟଣାରେ ପୋଲିସର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଆଉ ଏହାରି ଭିତରେ ଡାକ୍ତରଙ୍କ ଆନ୍ଦୋଳନ ଏତେ ତୀବ୍ର ହୋଇଥିବା ଯେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଦର୍ଶନ ସ୍ଥଳକୁ ଆସିବାକୁ ବାଧ୍ୟ ହୋଇଥିଲେ । ଏହାପରେ ମଧ୍ୟ ଆନ୍ଦୋଳନ ହଟିନଥିଲା । ଏବେ ଏହି ଘଟଣା ଶୁଣାଣି ସରିଛି । ଅପେକ୍ଷା କୋର୍ଟ କ’ଣ ରାୟ ଦେଉଛନ୍ତି ।