Latest Odisha News

BREAKING NEWS

ଦାମୀ ବ୍ରାଣ୍ଡ ନାଁରେ ନକଲି ଟାୟାର ବିକ୍ରି: ଗୋଦାମ ସିଲ୍, ମାଲିକ ଗିରଫ

କଟକ: ନକଲି ଜିନିଷର ହବ୍ ପାଲଟିଛି କଟକ। ଏହି ସହର ପାଲଟିଛି ନକଲି ସାମଗ୍ରୀର ଆସର। ନାମୀ ଦାମୀ ଷ୍ଟିକର ଲଗେଇ ବିକୁଛନ୍ତି ନକଲି ଜିନିଷ। ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ଠାବ ହେଲା ଅସଲି ବ୍ରାଣ୍ଡ ନାଁରେ ନକଲି ଟାୟାର ଗୋଦାମ। ନାମୀଦାମୀ କମ୍ପାନୀ ନାମରେ ନକଲି ସାଇକେଲ ଓ ବାଇକ୍ ଟାୟାର ଦୀର୍ଘଦିନ ହେବ ବିକ୍ରି ହେଉଥିଲା।

ଏନେଇ ସୂଚନା ପାଇବା ପରେ ଜଗତପୁର ଥାନା ଅନ୍ତର୍ଗତ ଖଇରା ପୋଲ ନିକଟରେ ଥିବା ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଟାୟାର ଗୋଦାମରେ ପୋଲିସର ରେଡ଼ କରିଥିଲା। ଗୋଦାମର ମାଲିକକୁ ଅଟକ ରଖି ପଚରାଉଚରା କରି କୋର୍ଟ ଚାଲାଣ କରିଛି ପୋଲିସ। କଟକ ସହରର ଏକ ବ୍ୟବସାୟ ପ୍ରତିଷ୍ଠାନର ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ଚଢାଉ କରାଯାଇଛି। ଗୋଦାମ ପରିସରରୁ ୪ ହଜାରରୁ ଅଧିକ ନକଲି ଟାୟାର ଯବତ କରିଛି ପୋଲିସ। ଏହାସହ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଗୋଦାମ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ ଏହି ଗୋଦାମରୁ ଟାୟାର ଏବଂ ଟ୍ୟୁବ୍‌ଗୁଡିକୁ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ପଠାଯାଉଥିବା ନେଇ କଟକ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଆଦିତ୍ୟ କୁମାର ଦାସ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଏବଂ ତାଙ୍କ ଟିମ୍ ଉକ୍ତ ଗୋଦାମରେ ଗୁରୁବାର ଚଢ଼ଉ କରିଥିଲେ। ଏହାପରେ ସଂପୂର୍ଣ୍ଣ ଗୋଦାମକୁ ଯାଞ୍ଚ କରିବା ସହ ଟାୟାର, କାଗଜପତ୍ରକୁ ଜବତ୍ କରାଯାଇଛି। ଯାଞ୍ଚ ବେଳେ ଏହି ଗୋଦାମ ଦୀର୍ଘ ୬ମାସ ଧରି ଜଗତପୁର ଅଞ୍ଚଳରେ ଚାଲୁଥିବା ଏବଂ ଅସଲି ଟାୟାର, ଟ୍ୟୁବ୍‌ଠାରୁ କମ୍ ଦରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା। ଜବତ ଟାୟାର, ଟ୍ୟୁବ୍‌ର ବଜାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.