Latest Odisha News

‘ରାଜ୍ୟପାଳ ଲୋକଙ୍କ ରାଜ୍ୟପାଳ, ଲାଟସାହେବ ନୁହନ୍ତି’, ରାଜନୀତିକୁ ଫେରିବା ପରେ ଏମିତି କହିଲେ ରଘୁବର..

ରାଞ୍ଚି: ପୁଣି ଥରେ ବିଜେପିକୁ ଫେରି ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି ବିଜେପି ନେତା ତଥା ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ।  ପୁଣି ଥରେ ସକ୍ରିୟ ରାଜନୀତି ମଇଦାନକୁ ଓହ୍ଲାଇବା ପରେ ଏହାକୁ ନେଇ ରଘୁବର କହିଛନ୍ତି, ରାଜ୍ୟପାଳ ପଦବୀକୁ ସମସ୍ତେ ଲାଟ୍ ସାହେବ ପଦ ବୋଲି ଭାବନ୍ତି । କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ଓଡ଼ିଶାରେ ମୁଁ ସେ ଚିନ୍ତାଧାରାକୁ ଭାଙ୍ଗିଲି । ରାଜ୍ୟପାଳ ଥିବା ବେଳେ ଲାଟ୍‌ ସାହେବର ପରମ୍ପରା ଭାଙ୍ଗି ଲୋକଙ୍କ ରାଜ୍ୟପାଳ ହେବା ପାଇଁ ଚେଷ୍ଟା କରିଛି । ଓଡ଼ିଶାରେ ରାଜ୍ୟପାଳ ଥିବା ବେଳେ ରାଜ୍ୟ ସରକାରଙ୍କର କୌଣସି ବିଲ୍‌ ଅଟକାଇ ନାହିଁ । ଏମିତିକି ରାତି ଅଧରେ ବି ବିଲ୍‌କୁ ସାଇନ୍‌ କରି ପଠାଇବାକୁ ପ୍ରୟାସ କରିଛି । ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି । ରାଜ୍ୟପାଳ ଲାଟ ସାହାବ ନୁହଁନ୍ତି,  ରାଜ୍ୟପାଳ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ ବୋଲି ମତ ରଖିଛନ୍ତି ରଘୁବର ।

ତେବେ ଗତକାଲି ରାଞ୍ଚି ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରି ସକ୍ରିୟ ରାଜନୀତିରେ ପୁଣି ଥରେ ପାଦ ଥାପିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ।  ଗତ ଡିସେମ୍ବର ୨୪, ୨୦୨୪ରେ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ରଘୁବର  । ଆଉ ସେବେଠୁ ଲାଗିଥିଲା ଚର୍ଚ୍ଚା, ରଘୁବର ପୁଣି ଥରେ ବିଜେପିରେ ସାମିଲ ହୋଇ ଝାଡଖଣ୍ଡ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଆଉ ପରିଶେଷରେ ସେୟା ହୋଇଛି ।

ତେବେ ରଘୁବର ଦାସ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ବନିଥିଲେ । ୨୦୨୪-୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟର ଶାସନ ମୁଖ୍ୟ ଥିଲେ ରଘୁବର । ପରେ ୨୦୧୯ ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କୁ ଅକ୍ଟୋବର ୧୮, ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ଭାବରେ ନିୁଯକ୍ତ କରିଥିଲେ ରାଷ୍ଟ୍ରପତି । ଆଉ ଗତ ବର୍ଷ ଡିସେମ୍ଵର ୨୪ରେ ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ହରିବାବୁ କମ୍ଭମପାଟି ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଦାୟିତ୍ଵ ନେଇଛନ୍ତି ।

Leave A Reply

Your email address will not be published.