Latest Odisha News

‘ମୁଁ ଭଗବାନ ନୁହେଁ…ମଣିଷ’, କାହିଁକି ଏମିତି କହିଲେ ମୋଦି?

ନୂଆଦିଲ୍ଲୀ: ‘ମୁଁ ଭଗବାନ୍ ନୁହେଁ…ମୁଁ ବି ମଣିଷ, ତେଣୁ ଭୁଲ୍ ଅନିର୍ବାର୍ଯ୍ୟ ।’ ପ୍ରଥମ ଥର ପାଇଁ ପୋଡକାଷ୍ଟରେ ଡେବ୍ୟୁ କରି କିଛି ଏପରି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ନିକଟରେ ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ ପିପୁଲ ବାଏ ଡବ୍ଲୁଟିଏଫ ସିରିଜରେ ନିଜର ଫାଷ୍ଟ୍ ଏଭର ପୋଡକାଷ୍ଟରେ ନଜର ଆସିଛନ୍ତି ମୋଦି । ୨ ଘଣ୍ଟାରୁ ଅଧିକ ସମୟର ଥିବା ଏହି ପୋଡକାଷ୍ଟରେ ନିଜର ପ୍ରାରମ୍ଭିକ ଜୀବନୀ ଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବା ଯାଏଁ ନିଜର ସମସ୍ତ ଅନୁଭୂତି ବିଷୟରେ ଅନେକ କଥା ଉପରେ କଥା ହୋଇଛନ୍ତି ମୋଦି ।

ଏଥିସହିତ ଏହି ପୋଡକାଷ୍ଟରେ ନିଜକୁ ଏପରି ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି ଯେ, ତାଙ୍କ ପାଇଁ ଜାତି ସେବା କରିବାରେ କୌଣସି ପଦବୀର ଗୁରୁତ୍ବ ନାହିଁ ।  ତାଙ୍କର ପଦବୀ ଏବଂ ପରିସ୍ଥିତି ବଦଳିପାରେ କିନ୍ତୁ ସେ ଏବେ ବି ସେହି ସମାନ ବ୍ୟକ୍ତି ଅଛନ୍ତି ଯିଏ ପୂର୍ବରୁ ତଳେ ବସୁଥିଲେ ବୋଲି କହିଛନ୍ତି ମୋଦି ।

ଏଥିସହିତ ତାଙ୍କର କେହି ବନ୍ଧୁ ଅଛନ୍ତି ନାହିଁ ବୋଲି ପ୍ରଶ୍ନରେ ମୋଦି କହିଛନ୍ତି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ମୋ ପୁରୁଣା ବନ୍ଧୁମାନଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନକୁ ଡାକୁଥିଲି । ହେଲେ ମୁଁ ସେମାନଙ୍କ ସହ କେବେବି ସେଇ ପୁରୁଣା ଦିନ ଖୋଜି ପାଇନଥିଲି । କାରଣ ମୁଁ ସେମାନଙ୍କୁ ବନ୍ଧୁ ଭାବେ ଦେଖୁଥିଲି ହେଲେ ସେମାନେ ମୋତେ ମୁଖ୍ୟମନ୍ତ୍ରୀଙ୍କ ଭଳି ବ୍ୟବହାର କରୁଥିଲେ । ମୋ ଜୀବନରେ ଆଉ କେହି ନାହାନ୍ତି କି ଯେ, ଯାହାକୁ ମୁଁ ‘ତୁ’ ବୋଲି ସମ୍ବୋଧନ କରିବି । ଏହାରି ଭିତରେ ନିଜର ପରିବାର, ଶିକ୍ଷକ ଏବଂ ପୁରୁଣା ସାଙ୍ଗ ବିଷୟରେ ବହୁତ କିଛି କହିଛନ୍ତି ମୋଦି ।

ଏଥିସହିତ ମୋଦି କହିଛନ୍ତି ଯେ, ସେ ସବୁ ବେଳେ ପ୍ରସ୍ତୁତ ରହିଥାଏ, ପୁରୁଣା ଚିନ୍ତାଧାରା ତ୍ୟାଗ କରିବା ଆଉ ନୂଆ ଚିନ୍ତାଧାରା ଗ୍ରହଣ କରିବାକୁ । ହେଲେ ସେ ସବୁର ମୂଳ ବିଚାରଧାରା “ରାଷ୍ଟ୍ର ପ୍ରଥମ” । ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି, ନେତୃତ୍ୱ ପ୍ରତି ତାଙ୍କର ପ୍ରାରମ୍ଭିକ ଆଭିମୁଖ୍ୟ କ’ଣ ରହିଥିଲା, ଏହାକୁ ନେଇ ମୋଦି କହିଥିଲେ, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୋର ନିଜର କିଛି ମୂଳ ମନ୍ତ୍ର ରଖିଥିଲି… ଯେମିତି..ମୁଁ ନିଜ ପାଇଁ କିଛି କରିବି ନାହିଁ । ମୁଁ ଖରାପ ଉଦ୍ଦେଶ୍ୟ ରଖି କିଛି ଭୁଲ କରିବି ନାହିଁ । କିନ୍ତୁ ମୁଁ ବି ଭୁଲ୍ କରିଥିବି…ଭୁଲ ଅନିବାର୍ଯ୍ୟ…ମୁଁ ନିଶ୍ଚୟ ଭୁଲ କରିଥିବି…କାରଣ ମୁଁ ମଧ୍ୟ ଜଣେ ମଣିଷ, ମୁଁ ଭଗବାନ୍ ନୁହେଁ ବୋଲି ମତ ରଖିଥିଲେ ମୋଦି ।

ଏଥିସହିତ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ତାଙ୍କ କାର୍ଯ୍ୟକାଳ ପରେ ଭବିଷ୍ୟତ ପାଇଁ ସେ କିଛି ଯୋଜନା କରିଛନ୍ତି କି ନାହିଁ.. ଆଗାମୀ ୨୦-୩୦ ବର୍ଷ ପାଇଁ ସେ ସେମାନଙ୍କୁ କିଛି ଶିଖେଇବେ କି ଯେଉଁମାନଙ୍କୁ ସେ ବିଶ୍ୱାସ କରନ୍ତି, ତାକୁ ନେଇ ମୋଦି କହିଛନ୍ତି, ଏଥିରେ  ପୂର୍ଣ୍ଣ ଦକ୍ଷତା ଥିବା ଲୋକଙ୍କୁ ମୁଁ ଦେଖିପାରୁଛି । ଯେତେବେଳେ ମୁଁ ଗୁଜରାଟରେ ଥିଲି, ମୁଁ କହିଥିଲି ଯେ ମୁଁ ଆଗାମୀ ୨୦ ବର୍ଷ ପାଇଁ ଏକ ଦଳ ପ୍ରସ୍ତୁତ କରିବାକୁ ଚାହୁଁଛି, ଯାହା ମୁଁ ଏବେ କରୁଛି, ମୋର ସଫଳତା ଏଥିରେ ରହିଛି ଯେ ମୁଁ କିପରି ମୋର ଦଳକୁ ପ୍ରସ୍ତୁତ କରୁଛି ଯେଉଁମାନେ ଚାତୁର୍ଯ୍ୟର ସହିତ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିପାରିବେ । ଏହା ମୋର ମାନଦଣ୍ଡ ଯାହା ମୁଁ ନିଜ ପାଇଁ ସ୍ଥିର କରିଛି ବୋଲି କହିଛନ୍ତି ମୋଦି ।

Leave A Reply

Your email address will not be published.