ଭୁବନେଶ୍ବର: ରାଜ୍ୟରେ ପୁଣି ବଢିପାରେ ଶୀତ । ଶୀତ ସାଙ୍ଗକୁହ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ପରେ ରାଜ୍ୟର ଅନେକ ଜିଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢିପାରେ । ଏହା ସହ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚାଇ ଦିଆଯାଇଛି ।
ଏଥିସହିତ ଆସନ୍ତା ୩ ଦିନ ଯାଏଁ ଅର୍ଥାତ୍ ୧୪ ତାରିଖ ଯାଏଁ କୁହୁଡି ପାଇଁ ୧୦ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ଏହା ମଧ୍ୟରେ ରହିଛି, ସୁନ୍ଦରଗଡ, କେଉଁଝର, ଢେଙ୍କାନାଳ, ଅନୁଗୁଳ, କଟକ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, କୋରାପୁଟକୁ ସତର୍କ କରାଯାଇଛି ।
ସେପଟେ ରାଜ୍ୟରେ ଏବେ ପ୍ରବଳ ଜାଡ ଅନୁଭୂତ ହେଉଥିବା ବେଳେ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିଛି । ଆଜି ସକାଳୁ ସକାଳୁ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ି ଦେଖାଦେଇଛି । ରାଜଧାନୀ ଭୁବନେଶ୍ବର ଓ କଟକରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦ ମିଟର ରହିଥିଲା । ଏଣୁ ଯାତାୟାତରେ ଅନେକ ସମସ୍ୟା ଦେଖାଦେଇଥିଲା ।