ଭୁବନେଶ୍ଵର: ଇନଷ୍ଟାଗ୍ରାମରେ ରିଲ୍ସ ଦେଖିବା, ସୋସିଆଲ୍ ମିଡିଆରେ ମିମ୍ସ ସେୟାର କରିବା, ସୋସିଆଲ୍ ପ୍ରୋଫାଇଲ୍ ଅପଡେଟ୍ କରିବା ଏବଂ ରିଲ୍ ଲାଇଫ୍କୁ ବାସ୍ତବ ଜୀବନ ସହିତ ତୁଳନା କରିବା ବର୍ତ୍ତମାନ ଏକ ସାଧାରଣ କଥା ହୋଇଗଲାଣି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ଆମ ଜୀବନରେ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ । ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଆମର ଦୈନନ୍ଦିନ କାର୍ଯ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି । ଯାହା ସଂଯୋଗ, ଆତ୍ମ-ଅଭିବ୍ୟକ୍ତି ଏବଂ ସମ୍ପ୍ରଦାୟ ନିର୍ମାଣ ପାଇଁ ସୁଯୋଗ ପ୍ରଦାନ କରୁଛି । କିନ୍ତୁ ସୋସିଆଲ ମିଡିଆର ଉପସ୍ଥିତି ଯେପରି ବଢିବାରେ ଲାଗିଛି, ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସେତିକି ବଢିବାରେ ଲାଗିଛି ।
ଆଜିକାଲି ସବୁସ୍ଥାନରେ ଲୋକମାନେ ନିଜ ନିଜ ଫୋନରେ ବ୍ୟସ୍ତ ଅଛନ୍ତି । ଘଣ୍ଟା ଘଣ୍ଟା ଧରି ଫୋନ୍ ବ୍ୟବହାର କରିବା ଏବଂ ଇନଷ୍ଟାଗ୍ରାମରେ ରିଲ୍ସ ଦେଖିବାର ରୋଗ ଆଜିକାଲି ଲୋକଙ୍କ ମଧ୍ୟରେ ଏତେ ମାତ୍ରାରେ ବ୍ୟାପିଗଲାଣି ଯେ ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଯେଉଁମାନେ ଅଧିକ ସମୟ ଫୋନ୍ ବ୍ୟବହାର କରୁଛନ୍ତି ସେମାନେ ନିଦ୍ରା ଅଭାବ, ମୁଣ୍ଡବିନ୍ଧା, ମାଇଗ୍ରେନ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି କିଛି ଲୋକ ଶୋଇବା ବେଳେ ମଧ୍ୟ ରିଲ୍ସର ସ୍ଵପ୍ନ ଦେଖୁଛନ୍ତି । ରିଲ୍ ଦେଖିବାର ଏହି ଅଭ୍ୟାସ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ତା’ର ମାୟାଜାଲରେ ବାନ୍ଧି ରଖିଛି । ଯେଉଁ କାରଣରୁ ମାନସିକ ରୋଗ ଦିନକୁ ଦିନ ବଢିବାରେ ଲାଗିଛି ।
ପ୍ରାରମ୍ଭିକ ଅନୁସନ୍ଧାନ ସମୟରେ ରୋଗୀମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ ପ୍ରାୟ ଦେଢ ବର୍ଷ ଧରି ରିଲ୍ ଦେଖୁଥିଲେ। ଏପରିକି ସକାଳୁ ଉଠିବାଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସେମାନେ ରିଲ୍ସ ଦେଖିବାରେ ସମୟ ବିତାଉଥିଲେ । ଏଥି ସହିତ, କିଛି ଲୋକ ସ୍ଵୀକାର କରିଛନ୍ତି ଯେ ସେମାନେ ହ୍ଵାଟସ୍ ଆପରେ ସେୟାର ହୋଇଥିବା ରିଲ୍ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି। ସେମାନେ ଏପରି ଅଭ୍ୟସ୍ତ ହୋଇଯାଇଥିଲେ ଯେ ଯଦି ସେମାନେ କୌଣସି ସମୟରେ ରିଲ୍ସ ଦେଖୁନଥିଲେ ତେବେ ସେମାନେ ଅଜବ ପ୍ରକାରର ଅନୁଭବ କରୁଥିଲେ । ରିଲ୍ସ ନ ଦେଖି କାହାର ମୁଣ୍ଡବିନ୍ଧା ହେଉଥିଲା ତ କାହାର କୌଣସି କାମରେ ମନ ଲାଗୁନଥିଲା । ଅନେକ ଲୋକ ରାତି ଅଧରେ ଉଠି ମଧ୍ୟ ମୋବାଇଲ ଧରି ରିଲ୍ସ ଦେଖୁଥାଆନ୍ତି । ଯାହାଦ୍ଵାରା ସେମାନେ ଆଉ ଶୋଇପାରନ୍ତି ନାହିଁ । ତେବେ ଜାଣନ୍ତୁ ଅତ୍ୟଧିକ ରିଲ୍ସ ଦେଖିବା ଦ୍ଵାରା ଶରୀରରେ କଣ ପ୍ରତିକ୍ରିୟା ହୋଇଥାଏ…
ଅତ୍ୟଧିକ ରିଲ୍ସ ଦେଖିବା ଦ୍ଵାରା ଆଖି ଏବଂ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ଅନୁଭୁତ ହୋଇଥାଏ । ଶୋଇବା ସମୟରେ ଆଖିରେ ଆଲୋକ ପରି କିଛି ଅନୁଭବ ହୋଇଥାଏ । ସଠିକ୍ ସମୟରେ ଖାଇବା, ପିଇବା କରନ୍ତି ନାହିଁ । ରିଲ୍ ଦେଖିବାର ନିଶା ଏକ ରୋଗଠାରୁ କମ୍ ନୁହେଁ । ଏହି ନିଶାରୁ ବର୍ତ୍ତିବା ପାଇଁ ପ୍ରତିଦିନ କମ୍ ରିଲ୍ସ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଆବଶ୍ୟକ ଅନୁଯାୟୀ ମୋବାଇଲ୍ ବ୍ୟବହାର କରନ୍ତୁ । ବହି ପଢାପଢି ଆରମ୍ଭ କରନ୍ତୁ । ସାଙ୍ଗ ଏବଂ ପରିବାର ସହିତ ଅଧିକ ସମୟ ବିତାନ୍ତୁ ।