ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ଏଣିକି କେନ୍ଦ୍ର କର୍ମଚାରୀ ୨୫ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୫୦%କୁ ବୃଦ୍ଧି ହୋଇଥିବା କାରଣ ଯୋଗୁଁ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚ୍ୟୁଇଟି ସୀମା ପୂର୍ବ ୨୦ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।
ତେବେ ନୂତନ ଗ୍ରାଚ୍ୟୁଇଟି ଲିମିଟ୍ ଗତବର୍ଷ ଜାନୁଆରୀ ୧ ରୁ ହିଁ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଏହି ନୂତନ ଗ୍ରାଚ୍ୟୁଇଟି ଲିମିଟ୍ କାର୍ମିକ, ସାଧାରଣ ଅଭିଯୋଗ, ପେନସନ ମନ୍ତ୍ରଣାଳୟ ଅଧୀନରେ ପେନସନ ଏବଂ ପେନସନଭୋଗୀ ବିଭାଗ ଦ୍ୱାରା ଜାରି ଏକ ସର୍କୁଲାରରେ ଘୋଷଣା କରାଯାଇଥିଲା । ଏହି ସର୍କୁଲାର ଗତବର୍ଷ ମେ ୩୦ରେ ଜାରି କରାଯାଇଥିଲା ।
ଏନେଇ ବିଭାଗ ଦ୍ବାରା ଜାରି କରାଯାଇଥିବା ସ୍ମାରକପତ୍ର ଅନୁଯାୟୀ, ବ୍ୟୟ ବିଭାଗ ସେମାନଙ୍କର ଓଏମ୍ ନମ୍ବର ୧/୧/୨୦୨୪-E-II(B) ଅନୁଯାୟୀ ମହଙ୍ଗା ଭତ୍ତା ହାରକୁ ୧ ଜାନୁଆରୀ, ୨୦୨୪ ଠାରୁ ମୂଳ ଦରମାର ୪୬% ରୁ ୫୦% କୁ ବୃଦ୍ଧି କରିବା ସମ୍ପର୍କରେ ନିର୍ଦ୍ଦେଶ ଜାରି କରିଛି । ସେଭେନ୍ତ ପେ କମିଶନ ଅନୁସାରେ, କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ ବା ପେନସନ୍ ନିୟମ, ୨୦୨୧ ଅନୁଯାୟୀ ଅବସର ଗ୍ରାଚ୍ୟୁଇଟି ଏବଂ ମୃତ୍ୟୁ ଗ୍ରାଚ୍ୟୁଇଟିର ସର୍ବାଧିକ ସୀମାକୁ ବୃଦ୍ଧି କରାଯାଇଛି । ତେବେ ଏହି ସଂଶୋଧିତ ଗ୍ରାଚ୍ୟୁଇଟି ପାଇବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତି ଦରମା ପାଉଥିବା ପୂର୍ଣ୍ଣକାଳୀନ କର୍ମଚାରୀ ହେବା ଆବଶ୍ୟକ।