ଭୁବନେଶ୍ବର: ପୁଣି ତେଜିଛି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ବିଜେପିର ସମାଲୋଚନା ପରେ ଦୀପାଳି ସରକାରଙ୍କୁ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ କରିବାକୁ ନେଇ, ଏବେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଲିଖିତ ଭାବେ ମୁଖ୍ରମନ୍ତ୍ରୀଙ୍କୁ ଏଥିପାଇଁ ଅପିଲ୍ କଲେ, ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବଇନ ମନ୍ତ୍ରୀ ।
ଏନେଇ ଦୀପାଳିଙ୍କ ପ୍ରଶ୍ନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହିଦେଲେ ହେବନାହିଁ । ଯଦି ପୂର୍ବ ସରକାର ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତାହେଲେ ଲିଖିତ ଭାବେ ନୂଆ ସରକାରଙ୍କୁ ଜଣାନ୍ତୁ । ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ସିବିଆଇ ତଦନ୍ତ ହେବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଆମେ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠାଇଥିଲୁ, ପୂର୍ବ ସରକାର ପାଖେ ଏନେଇ ସବୁ ଉତ୍ତର । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି, ସତ ବାହାରିବନାହିଁ । ଏକଥା ଆମେ ପୂର୍ବରୁ ବି କହିଥିଲୁ । ଆଉ ସେଇ କଥା ହେଲା । ତେଣୁ ଲିଖିତ ଜଣାନ୍ତୁ, କେସ ରି ଓପନ୍ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ କହିବେ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ କିର୍ମିରା ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବକୁ ନେଇ ତାଙ୍କ ହୋଟେଲରେ ପୋଲିସ୍ ଚଢ଼ଉ ଓ ବିଶାଲ ଦାସଙ୍କୁ ଛତିଶଗଡ଼ ପୋଲିସ୍ ଗିରଫ କରିବା ନେଇ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୀପାଳି । ବିଜେପି ସରକାରଙ୍କ ଉପରେ ଜୋରସୋର ବର୍ଷିଥିଲେ । ଯାହାକୁ ନେଇ ଦୀପାଳିଙ୍କୁ କଡା ସମାଲୋଚନା କରିଥିଲା ବିଜେପି । ବାପାଙ୍କ ମୃତ୍ୟୁର ରହସ୍ୟ ନେଇ ଦୁଇ ବର୍ଷ ହେଲା କାହିଁକି ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିଥିଲେ । ଯାହାର ପାଲଟା ଜବାବରେ ସରକାରଙ୍କୁ ପୁଣି ନିଶାନା ସାଧିଥିଲେ ଦୀପାଳି । କହିଥିଲେ, ମୁଁ ଏ ନୂଆ ସରକାରଙ୍କୁ ପଚାରୁଛି, ତାଙ୍କର ଅନେକ ନେତା ତଥା ବିଧାୟକ ଏନେଇ ପ୍ରଶ୍ନ କରିଛନ୍ତି, ତାହେଲେ ସେମାନେ ଏ ଘଟଣା ଉପରେ ସିବିଆଇ ତଦନ୍ତ କରୁନାହାନ୍ତି କାହିଁକି? ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝି ସେମାନଙ୍କ ପରିବାରକୁ ଆଲୋଚନା ପାଇଁ ଡାକ୍ନ୍ତୁ ବୋଲି ଅପିଲ୍ କରିଥିଲେ । କିଛି ନ୍ୟୁଜ୍ ଚ୍ୟାନେଲ ତାଙ୍କ ନାଁ ମିଛ ଖବର ପ୍ରସାରଣ କରୁଥିବା ମଧ୍ୟ ଅଭିଯୋଗ କରିଥିଲେ ଦୀପାଳୀ ।ଯାହାକୁ ନେଇ ଦୀପାଳୀଙ୍କୁ ଲିଖିତ ଜଣାବାକୁ କହିଛନ୍ତି ମନ୍ତ୍ରୀ ।
ଅନ୍ୟପଟେ ୨ ବର୍ଷ ପରେ ଦୀପଳିଙ୍କ ବାପାଙ୍କ କଥା ମନେପଡିଥିବାରୁ ଏହାକୁ ନେଇ ସମାଲୋଚନା କରିଛନ୍ତି ସନ୍ତୋଷ ସିଂ ସାଲୁଜା । ସାଲୁଜା କହିଛନ୍ତି, ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହ ଜନକ । ବିଳମ୍ବରେ ହେଉ ପଛେ ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହୋଇଛି । ଯେତେବେଳେ ଦରକାର ଥିଲା କଲେ ନାହିଁ । ସେତେବେଳେ ଆମେ ବିଧାନସଭାରେ ସିବିଆଇ ତଦନ୍ତ କରିବାକୁ ଦାବି ଉଠାଇଥିଲୁ । ହେଲେ ସରକାର ଶୁଣିଲେ ନାହିଁ, ଆଉ ତାଙ୍କ ପରିବାର ମଧ୍ୟ ଚୁପ୍ ରହିଲେ । ଏବେ ଅନାସ୍ଥା ପ୍ରସ୍ତାବ ଏବଂ ଭାଇ ବିବାଦରେ ଫସିବାରର ଘଟଣା ଘଟିବାରୁ ଏବେ ତାଙ୍କର ଜ୍ଞାନ ଉଦୟ ହୋଇଛି ।