ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତ ମାଟିରେ ସନାତନ ଧର୍ମ ଅକ୍ଷୁର୍ଣ୍ଣ ରହିଛି। ଏଥିପାଇଁ ଅନେକ ବଳିଦାନ ଦିଆଯାଇଛି। ଯେଉଁଥିରେ ନାଗା ସାଧୁ ଏବଂ ସନ୍ୟାସୀ ମଧ୍ୟ ରହିଛନ୍ତି । ନାଗା ସାଧୁମାନେ ତପସ୍ବୀ କିନ୍ତୁ ଯେତେବେଳେ ଆବଶ୍ୟକ ହୁଏ, ସେମାନେ ଦେଶ ତଥା ଧର୍ମର ସୁରକ୍ଷା ପାଇଁ ଅସ୍ତ୍ର ଉଠାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଯାହାର ଅବଦାନ ବିଷୟରେ ଆମେ ଜାଣିନାହୁଁ । କାରଣ ବାମପନ୍ଥୀ ଏବଂ ବିଦେଶୀ ଐତିହାସିକାର ନାଗା ସାଧୁଙ୍କ ବଳିଦାନ କାହାଣୀ ଲୁଚାଇ ରଖିଥିଲେ । ନାଗା ସାଧୁ ମଧ୍ୟ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢିଥିଲେ। ବଙ୍ଗଳାରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସନ୍ୟାସୀ ଯୁଦ୍ଧ ବହୁତ ପ୍ରସିଦ୍ଧ । ବଙ୍ଗୀୟ କବି ବଙ୍କିମ ଚନ୍ଦ୍ର ଚାଟାର୍ଜୀ ତାଙ୍କ ପୁସ୍ତକ ‘ଆନନ୍ଦ ମଠ’ରେ ଏହା ଉଲ୍ଲେଖ କରିଛନ୍ତି ।
ନାଗା ସାଧୁ ସାଧାରଣତଃ ପ୍ରତ୍ୟେକ ମହାକୁମ୍ଭ ସମୟରେ ସମସ୍ତଙ୍କର ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟନ୍ତି , କାରଣ ସେମାନଙ୍କ ଦୁନିଆ ଏତେ ରହସ୍ୟମୟ ଯେ ସେମାନଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ।
ନାଗା ସାଧୁମାନେ ମୋଗଲ, ଇଂରେଜଙ୍କ ବିରୁଦ୍ଧରେ ଦେଶ ଓ ଧର୍ମର ସୁରକ୍ଷା ପାଇଁ ଅସ୍ତ୍ର ଉଠେଇ ଯୁଦ୍ଧ ଲଢିଥିଲେ । ଯେତେବେଳେ ବିଶ୍ୱ ପ୍ରସିଦ୍ଧ ମହାରଣା ପ୍ରତାପ ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ, ସେତେବେଳେ ସେ ନାଗା ସାଧୁଙ୍କ ସମର୍ଥନ ପାଇଥିଲେ। ଏହା ପରେ ମୋଗଲମାନେ ଥରହର ହୋଇ ଉଠିଥିଲେ । ରାଜସ୍ଥାନର ପଞ୍ଚମାହୁଆ ଅଞ୍ଚଳରେ ଛାପାଲି ପୋଖରୀ ଏବଂ ରଣକଡା ଘାଟ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ମୋଗଲମାନେ ପରାସ୍ତ ହୋଇଥିଲେ। ସେହି ଯୁଦ୍ଧରେ ବଳିଦାନ ଦେଇଥିବା ନାଗା ସାଧୁଙ୍କ ସମାଧି ସେଠାରେ ଦେଖିବାକୁ ମିଳେ ।
୧୬୬୬ ମସିହାରେ ଔରଙ୍ଗଜେବର ସେନା ହିନ୍ଦୁ ଧର୍ମ ବିରୁଦ୍ଧରେ ହରିଦ୍ୱାର କୁମ୍ଭ ମେଳା ଉପରେ ଆକ୍ରମଣ କରିଥିଲା। ସେହି ସମୟରେ ନାଗା ସାଧୁମାନେ ଅନ୍ୟ ସାଧୁସନ୍ଥମାନଙ୍କୁ ଏକତ୍ର କରି ଯୁଦ୍ଧ କରିଥିଲେ ଓ ଆକ୍ରମଣକାରୀ ସେନାକୁ ଘଉଡ଼ାଇ ଦେଇଥିଲେ | ସେହିଭଳି ୧୭୫୧ ମସିହାରେ ପ୍ରୟାଗରାଜ କୁମ୍ଭ ସମୟରେ ଅହମ୍ମଦ ଅଲି ବଙ୍ଗାସ ଆକ୍ରମଣ କରିଥିଲା। ସେତେବେଳେ ୫୦ ହଜାର ନାଗା ସାଧୁ ବାଙ୍ଗାସ ସେନାକୁ ସେହି ସ୍ଥାନ ଛାଡି ଚାଲିଯିବାକୁ ବାଧ୍ୟ କରିଦେଇଥିଲେ ।
ଯେତେବେଳେ ଔରଙ୍ଗଜେବ ବାରାଣାସୀର ବିଶ୍ୱନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା, ସେତେବେଳେ ଏହି ସନ୍ୟାସୀମାନେ ମନ୍ଦିରର ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଥିଲେ। ଏହି ସନ୍ୟାସୀମାନେ ବାରାଣାସୀକୁ ଔରଙ୍ଗଜେବ ଠାରୁ ରକ୍ଷା କରିଥିଲେ । ଔରଙ୍ଗଜେବର ସେନା ଏବଂ ଏହି ସାଧୁମାନଙ୍କ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଯୁଦ୍ଧ ହୋଇଥିଲା ଯେଉଁଥିରେ ବହୁ ରକ୍ତପାତ ହୋଇଥିଲା। ନାଗା ସାଧୁଙ୍କର ଅସ୍ତ୍ରଶସ୍ତ୍ର ଚଳାଇବାର କୌଶଳ ଦେଖି ଔରଙ୍ଗଜେବ ସେମାନଙ୍କ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଜୁନ ଆଖାଡାର ନାଗା ସାଧୁମାନେ ମଧ୍ୟ ଆଫଗାନିସ୍ତାନ ଆକ୍ରମଣକାରୀ ଅହମ୍ମଦ ଶାହା ଅବଦାଲୀକୁ ୧୭୫୭ରେ ମଥୁରା-ବୃନ୍ଦାବନ ଲୁଟ କରିବାରେ ଅଟକାଇ ଥିଲେ। ଗୋକୁଳକୁ ଲୁଟ୍ କରିବାର ଅବଦାଲୀଙ୍କ ସ୍ୱପ୍ନ କେବଳ ଏକ ସ୍ୱପ୍ନ ରହିଗଲା । ଗୁଜୁରାଟର ଜୁନାଗଡର ନିଜାମଙ୍କ ସହ ନାଗା ସାଧୁ ମଧ୍ୟ ଏକ ଭୟଙ୍କର ଯୁଦ୍ଧ କରିଥିଲେ। ଏହି ଯୁଦ୍ଧରେ ନାଗା ସାଧୁ ନିଜାମ ଓ ତାର ସେନାକୁ ପରାସ୍ତ କରିଥିଲେ।
ରାମ ମନ୍ଦିର ପାଇଁ ଦୀର୍ଘ ସଂଗ୍ରାମ ମଧ୍ୟରେ ୭୬ ଟି ପ୍ରମୁଖ ଯୁଦ୍ଧ ହୋଇଥିଲା। ଯେଉଁଥିରେ ବାବା ବୈଷ୍ଣବ ଦାସ, ସନ୍ଥ ବଳରାମଚାର୍ଯ୍ୟ, ସ୍ବାମୀ ମହେଶାନନ୍ଦ, ରାଜଗୁରୁ ଦେବିଦିନ ପାଣ୍ଡ୍ୟାଙ୍କ ପରି ଅନେକ ସନ୍ୟାସୀ ଯୁଦ୍ଧରେ ବିଦ୍ରୋହୀମାନଙ୍କ ସହିତ ଲଢି ସେ ନିଜ ଜୀବନ ତ୍ୟାଗ କରିଛନ୍ତି ।
ନାଗା ସନ୍ନ୍ୟାସୀ ମୃତ୍ୟୁକୁ ଭୟ କରନ୍ତି ନାହିଁ କାରଣ ଜୀବିତ ଥିବାବେଳେ ସେମାନେ ନିଜ ଶ୍ରାଦ୍ଧ ନିଜ ହାତରେ ନିଜର ଅନ୍ତିମ ସଂସ୍କାର କରିଦିଅନ୍ତି । ଯେତେବେଳେ ନାଗା ସାଧୁ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରନ୍ତି, ସେମାନେ ଶତ୍ରୁକୁ ହତ୍ୟା କରିବାର ଦୃଢ ସଂକଳ୍ପ ନେଇ ଓହ୍ଲେଇଥାନ୍ତି । ଯେଉଁଥିପାଇଁ ଶତ୍ରୁ ମଧ୍ୟ ଭୟଭୀତ ହୋଇଥାଏ । କିନ୍ତୁ ସ୍ବାଧୀନତା ପରେ ନାଗା ସାଧୁଙ୍କ ସଂଘର୍ଷକାହାଣୀ ସଂଗ୍ରାମ ଇତିହାସର ପୃଷ୍ଠାରୁ ଜାଣିଶୁଣି ଲିଭାଯାଇଥିଲା। ଯାହାଫଳରେ ସାଧାରଣ ଭାରତୀୟମାନେ ଏହି ସନ୍ୟାସୀମାନଙ୍କ ବଳିଦାନ ଜାଣିପାରିବେ ନାହିଁ ।
ଭାରତ ସ୍ବାଧୀନ ହେବା ପରେ ଦେଶ ନିରାପଦ ହାତରେ ଥିବା ଜାଣି ସେମାନେ ଆଧ୍ୟାତ୍ମିକ ପ୍ରଗତିର ଅଭ୍ୟାସରେ ବ୍ୟସ୍ତ ଅଛନ୍ତି । ଏହି ନାଗା ସାଧୁମାନେ ଦୁନିଆରୁ କିଛି ଚାହାଁନ୍ତି ନାହିଁ ।
କିନ୍ତୁ ଧର୍ମ ରକ୍ଷା ପାଇଁ ଏହି ନାଗା ସାଧୁଙ୍କ ସଂଗ୍ରାମ ଜାଣିବା ସମସ୍ତ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କାରଣ ସେମାନଙ୍କର ବଳିଦାନର କାହାଣୀ ଆମକୁ ଦେଶ ଧର୍ମର ସୁରକ୍ଷା ପାଇଁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଏ ।