Latest Odisha News

ଶ୍ରୀମନ୍ଦିର ଉଚ୍ଛେଦ ପ୍ରକ୍ରିୟା: ଆଜି କେଉଁ ସ୍ଥାନରେ ହେଉଛି ଭଙ୍ଗାଭଙ୍ଗି କାର୍ଯ୍ୟ, ଜାଣନ୍ତୁ

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ତଥା ଶ୍ରୀନ୍ଦିରର ସୁରକ୍ଷା ନିମନ୍ତେ ଏହାର ଚାରିପଟେ ୭୫ ମିଟର ଯାଏଁ ସ୍ଥାନରେ ଥିବା କୋଠାବାଡ଼ି ଉଚ୍ଛେଦ ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟ ବୁଧବାର ସକାଳୁ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ନିମନ୍ତେ ୭୫ ମିଟର ଯାଏଁ ସ୍ଥାନରେ ଥିବା ସରକାରୀ ଓ ବେସରକାରୀ କୋଠବାଡ଼ି ଏବଂ ମଠ ଆଦି ଉଚ୍ଛେଦ କରାଯାଉଛି।

କେଉଁ ସ୍ଥାନରେ ଚାଲିଛି ଉଚ୍ଛେଦ:

ଆଜି ପ୍ରଥମେ ଶ୍ରୀମନ୍ଦିର ସଂଲଗ୍ନ ଥିବା ପୌରସଂସ୍ଥା ଡାକ୍ତରଖାନା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଡାକ୍ତରଖାନ ପରିସର ମଧ୍ୟରେ ଥିବା ବିଭିନ୍ନ ଦୋକାନ ଓ କୋଠାଘର ଗୁଡିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଙ୍ଗା ଯାଇଛି ।

ଏହି ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ। ତେବେ ସୁରକ୍ଷା ଜୋନରେ ଥିବାରୁ ଏହାକୁ ଉଚ୍ଛେଦ କରାଯାଉଥିବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ପ୍ରଦାନ କରିଛନ୍ତି ।

ଆଜିର ଏହି ଉଚ୍ଛେଦ ପ୍ରକ୍ରିୟାରେ ସମୁଦାୟ ୯ଟି ଜେସିବି ଲଗାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଶ୍ରୀମନ୍ଦିର ଥାନା ପୁଲିସ ଉପସ୍ଥିତ ରହିବା ସହ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ପ୍ରଥମ ପର୍ଯ୍ୟାୟରେ କେତେଗୁଡ଼ିଏ କୋଠାବାଡ଼ି ଭାଙ୍ଗି ଉଚ୍ଛେଦ କରିବା ପରେ ଆଜି ଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

ଅନ୍ୟପଟେ, ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଞ୍ଚଳରେ ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃତ ଭାବରେ ଗ୍ରହଣ କରିଛନ୍ତି ଏବଂ ନିରାପତ୍ତା ବଳୟ ନିମନ୍ତେ ସେମାନଙ୍କ ଜମି ପ୍ରଦାନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୭୫% ଜମି ସ୍ବେଚ୍ଛାକୃତ ଭାବରେ ବାସିନ୍ଦା ମାନେ ପ୍ରଦାନ କରିଛନ୍ତି । ତେବେ ଏହା କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇ ପରିଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି।

Comments are closed.