Latest Odisha News

BREAKING NEWS

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଭୃଗୁ ଆଶ୍ରମ; ଯେଉଁଠି ପୂଜା ପାଆନ୍ତି କଂସର ଚୌକିଦାର ଉଗ୍ରସେନ !

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ବାଲିସାହିରେ ପୁରାତନ ଓ ପାରମ୍ପାରିକ ମୂଲ୍ୟବୋଧରେ ଭରପୂର ଭୃଗୁ ଆଶ୍ରମ ରହିଛି । ଏହି ସାହିର ଦାଣ୍ଡରେ ପ୍ରତି ଅମବାସ୍ୟାରେ ନାରାୟଣ ସାଗର ବିଜେ କରନ୍ତି । ବର୍ତମାନ ଏହାର ପ୍ରକୃତ ରକ୍ଷଣାବେକ୍ଷଣା ହେଉ ନ ଥିବାରୁ ଭକ୍ତ ତଥା ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିପାରୁ ନାହିଁ । ଏହି ଆଶ୍ରମ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାପର ଯୁଗ ଲୀଳାର ସମ୍ପର୍କ ରହିଛି ।

ମହାପ୍ରଭୁ ବଡଦାଣ୍ଡରେ ଗୁଣ୍ଡିଚା ଯାତ୍ରା କରୁଥିବାରୁ ତାହା ଯାତ୍ରା ଦାଣ୍ଡ ଏବଂ ବାଲିସାହିକୁ ଉଆଁସଦାଣ୍ଡ ନାମରେ ନାମିତ କରାଯାଇଛି । ଏବେ ପୁରୁଣାକାଳିଆ ଲୋକେ ବାଲିସାହିକୁ ଉଆଁସଦାଣ୍ଡ ବୋଲି କହିଥାନ୍ତି । ଶ୍ରୀମନ୍ଦିର ଆଡୁ ଏହି ଦାଣ୍ଡରେ କିଛି ବାଟ କଲେ ଭୃଗୁ ଆଶ୍ରମ ପଡେ । ଶ୍ୱେତଗଙ୍ଗା ସାମ୍ନାରେ ଏହି ଆଶ୍ରମ ରହିଥିବାରୁ ଏହାର ଗୁରୁତ୍ୱ ରହିଛି ।

ଉଗ୍ରସେନ ମହାରାଜା ଏଠାରେ ପୂଜା ପାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ଉଗ୍ରେସନ ମୁଣ୍ଡି ବୋଲି ମଧ୍ୟ କହିଥାନ୍ତି । ଜୀବନର ଶେଷ ସମୟରେ ପ୍ରାଣବାୟୁ ନ ଯାଇ କଷ୍ଟ ପାଉଥିବା ଲୋକମାନଙ୍କ ପାଇଁ ନିକଟସ୍ଥ ମୁକ୍ତିଶିଳା ପାଖରେ ହୋମକରି ଉଗ୍ରସେନଙ୍କୁ ପଣା ଭୋଗ କରାଯାଇଥାଏ । ଏହି ପଣାକୁ ସମ୍ପୃକ୍ତ ଲୋକଙ୍କୁ ପିଇବାକୁ ଦିଆ ଯାଇଥାଏ । ଏହାର କିଛି ଦିନ ପରେ ଯନ୍ତ୍ରଣା ପାଉଥିବା ବ୍ୟକ୍ତି ସ୍ୱର୍ଗପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

ସେହିପରି ସ୍ୱର୍ଗଦ୍ୱାରକୁ ଲୋକମାନେ ଶବ ନେଲା ବେଳେ ଉଗ୍ରସେନଙ୍କ ସାମ୍ନା ଦାଣ୍ଡରେ କିଛି ସମୟ କୋକେଇ ରଖି ପ୍ରାର୍ଥନା କରିଥାନ୍ତି ଉଗ୍ରସେନ ମହାବାହୁ, ସମୁଦ୍ରକୂଳେ ଯିବା ହେଉ । ଚର୍ତୁଭୂଜ ଉଗ୍ରସେନ ଉପରେ ଦୁଇ ହସ୍ତରେ ଶଙ୍ଖ ଚକ୍ର ଧରି ଉଭା ହୋଇଛନ୍ତି । ଉଗ୍ରସେନ କଂସର ଚୌକିଦାର ହୋଇଥିବା ବେଳେ ରାତି ଅଧରେ ବସୁଦେବଙ୍କ ମୁଣ୍ଡ ଉପରେ ଶ୍ରୀକୃଷ୍ଣଙ୍କୁ ଦେଖି ପଚାରିଥିଲେ ।

“ତୁ ଯେବେ ଦେବ ଭଗବାନ
ଦେଖାଅ ଶଙ୍ଖ ଚକ୍ର ଚିହ୍ନ”

ପରେ କଂସର ନିଧନ ପରେ ଉଗ୍ରସେନ ମଥୁରାର ନୃପତି ହେଲେ । ବୋଧ ହୁଏ ସେ ଶିଶୁ କୃଷ୍ଣଙ୍କଠାରେ ରାତ୍ରି କାଳରେ ପହରା ଦେଲାବେଳେ ଦର୍ଶନ କରିଥିଲେ । ସେଥିପାଇଁ ଏବେ ମଧ୍ୟ ସେ ସେହି ଚିହ୍ନଙ୍କୁ ଧାରଣ କରିଛନ୍ତି ।

Leave A Reply

Your email address will not be published.