Latest Odisha News

ସୋସିଆଲ ନେଟୱର୍କରେ ୬୭ ଲକ୍ଷ ପ୍ରଶଂସକ ଜୁଟାଇଥିବା ଲିଲ୍ ବବ୍ ବିଲେଇର ଦେହାନ୍ତ !

ନ୍ୟୁୟର୍କ: ସୋସିଆଲ ନେଟୱର୍କର ସବୁଠାରୁ ଲୋକପ୍ରିୟ ବିଲେଇ ଲିଲ୍ ବବର ୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଆମେରିକାର ଏହି ଗେଡା ବିଲେଇର ଫେସବୁକ୍, ଇଂଷ୍ଟ୍ରାଗ୍ରାମ, ଟୁଇଟର ଓ ୟୁଟ୍ୟୁବରେ ୬୭ ଲକ୍ଷ ପ୍ରଶଂସକ ରହିଛନ୍ତି । ସାଧାରଣ ବିଲେଇଙ୍କଠାରୁ ଏହାର ରୂପ ଭିନ୍ନ ହୋଇଥିବାରୁ ଖୁବ୍ ଶୀଘ୍ର ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲା । ଏହି ବିଲେଇ ନାଁରେ ଏକ ସ୍ୱତନ୍ତ୍ର ୱେବସାଇଟ ମଧ୍ୟ ରହିିଛି । ଏଥିରେ ଅନଲାଇନ ଫଣ୍ଡିଂ ମାଧ୍ୟମରେ ଜୀବଜନ୍ତୁଙ୍କ ସାହାଯ୍ୟ ପାଇଁ ଫଣ୍ଡ ଏକତ୍ର କରାଯାଉଥିଲା ।

ରିପୋର୍ଟ ମୁତାବକ ପ୍ରାୟ ୫ କୋଟି ଟଙ୍କା ଲିଲ ବବ୍ ମାଧ୍ୟମରେ ଯୋଗାଡ ହୋଇପାରିଥିଲା । ଏହି ଅର୍ଥରେ ଅନେକ ପଶୁଙ୍କ ଜୀବନ ରକ୍ଷା କରାଯାଇପାରିଛି ବୋଲି ଏହାର ପରିଚାଳକ କହିଛନ୍ତି । ଏପରି କି ନାସା ମଧ୍ୟ ଇନଷ୍ଟ୍ରାଙ୍ଗ୍ରାମରେ ବବଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି । ଏଥର ଅନ୍ତରୀକ୍ଷରେ ଭେଟ ହେବ ବବ୍ ବୋଲି ନାସା ୱେବସାଇଟରେ ଉଲ୍ଲେଖ କରାଯାଇଛି ।

ଶନିବାର ରାତିରେ ବବ ପରିବାର ସଦସ୍ୟଙ୍କ ସହିତ ଭଲ ଭାବେ ସମୟ କାଟି ଶୋଇବାକୁ ଯାଇଥିଲା ବୋଲି ଏହାର ମାଲିକ ମାଇକ ବ୍ରିଡାବକ୍ସି କହିଛନ୍ତି । ରବିବାର ଦେହ ଖରାପରେ ପଡିବା ପରେ ଏହାର ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି ।

ଅସ୍ଥି ସଂକ୍ରମଣରେ ସେ ଦୀର୍ଘଦିନ ଧରି ଆକ୍ରାନ୍ତ ରହିଥିଲା । ଜୀବଜନ୍ତୁ ପ୍ରିୟମାନଙ୍କ ପାଇଁ ଏହା ଏକ ଦୁଃଖର ଦିନ ବୋଲି ଏହାର ପ୍ରଶଂସକମାନେ କହିଛନ୍ତି । ଗ୍ରମ୍ପି ପରେ ଚଳିତ ବର୍ଷ ଦ୍ୱିତୀୟ ଲୋକପ୍ରିୟ ବିଲେଇ ଭାବେ ବବର ପରଲୋକ ହୋଇଛି ।

Leave A Reply

Your email address will not be published.