Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ଆରମ୍ଭ ହେବ ‘ଯୋରନ୍ଦା ମେଳା’: ଝାଡ଼ ଦୀପ ଜାଳି ବିଶ୍ୱର କଲ୍ୟାଣ ମନାସିବେ ମହିମା ସାଧୁ

ଢେଙ୍କାନାଳ: ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦି। ଏଥିପାଇଁ ସଜେଇ ହୋଇଛି ଢ଼େଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦି, ଏହା ମହିମା ଧର୍ମର ମୁଖ୍ୟପୀଠ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଠାରେ ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ ।  ଯୋରନ୍ଦା ସ୍ଥିତ ଏହି ମହିମା ଗାଦିରେ ଚଳିତ ବର୍ଷ ୧୫୨ ତମ ‘ଯୋରନ୍ଦା ମାଘ ମେଳା’ ପାଳନ ହେବାକୁ ଯାଉଛି । ଆଗାମୀ ମଙ୍ଗଳବାର ଠାରୁ ୨ ଦିନ ଧରି ଚାଲିବ ଏହି ମେଳା ।

ଯୋରନ୍ଦା ଗାଦିକୁ ଦେଶର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁମାନଙ୍କର ଆଗମନ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଛତିଶଗଡ଼, ମଧ୍ୟପ୍ରଦେଶ, ଆସାମ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ଅଞ୍ଚଳରୁ ମହିମା ସାଧୁମାନେ ପ୍ରତିବର୍ଷ ଏଠାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପୂର୍ବବର୍ଷ ଅପେକ୍ଷା ଜନସମାଗମ ଯଥେଷ୍ଟ ଅଧିକ ହେବେ ବୋଲି ଆଶା ରହିଛି ।

ଏଥିପାଇଁ ମୁଖ୍ୟ ଗାଦି ମନ୍ଦିର, ଛତିଶ ହାତିଆ ମନ୍ଦିର, ଅଖଣ୍ଡ ବତୀ ମନ୍ଦିର, ଧୂନି ମନ୍ଦିର ଆଦି ନୂଆ ରଙ୍ଗରେ ରଙ୍ଗେଇ ହୋଇଛି । ମନ୍ଦିର ପରିସର ସଫା ସୁତୁରା କରାଯାଇଛି। ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଦୁଇ ଦିନ ଧରି ଚାଲିବ ମେଳା। ସନ୍ଧ୍ୟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଜ୍ୟୋତି ମନ୍ଦିର ଓ ଦଲକ ଅଞ୍ଚଳରେ ବିରାଟକାୟ ଝାଡ ଦୀପ ଜଳିବ। ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେବ ଯୋରନ୍ଦା ପୀଠ। ବିଶ୍ୱାସ ରହିଛି ଶୂନ୍ୟ ମହାପ୍ରଭୁଙ୍କ ନିକଟରେ ଝାଡ ଦ୍ଵୀପ ଜାଳିଲେ, ମାନସିକ ପୂରଣ ହୁଏ, ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଘଟିଥାଏ।

ମହିମା ସମାଜର ମୁଖ୍ୟଙ୍କ ସୂଚନାନୁସାରେ, ରୀତିନୀତି ମୁତାବକ ୧୧ ତାରିଖ ପ୍ରାତଃ ସମୟରୁ ମହିମା ପ୍ରଭୁଙ୍କର ନୀତିକାନ୍ତି କରାଯାଇ ସଂନ୍ଧ୍ୟା ୫ଟାରେ ମୁଖ୍ୟ ଗାଦି ମନ୍ଦିର ଚତୁଃପାର୍ଶ୍ଵରେ ଝାଡଦୀପ ପ୍ରଜ୍ୱଳନ କରାଯିବ ।

ଅଧିକ ଜନ ସମାଗମ ସମ୍ଭାବନାକୁ ଆଖି ଆଗରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱାସ୍ଥ୍ୟ, ପରିମଳ,ପାନୀୟ ଜଳ, ଟ୍ରାଫିକ ବ୍ୟବସ୍ଥା ଆଦି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ।

ଏପଟେ ମୀନା ବଜାର,ଦୋଳୀ ଓ ଫାଷ୍ଟ ଫୁଡ୍ ଦୋକାନୀମାନେ ଓ ଉଠାଦୋକାନୀମାନେ ମଧ୍ୟ ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ।

Comments are closed.