ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NCC ଡିଜି ଲେଫ୍ଟନନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ। ଓଡ଼ିଶାରେ ଏନସିସିର ସଂପ୍ରସାରଣ ସମ୍ପର୍କରେ କଲେ ଆଲୋଚନା। କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ହେବ ଟ୍ରେନିଂ ସେଣ୍ଟର। କୋରାପୁଟରେ ହେବ ଏନସିସି ଗ୍ରୁପ୍ ହେଡକ୍ବାର୍ଟର୍ସ ପ୍ରତିଷ୍ଠା।
ଓଡ଼ିଶାରେ ଏନ୍.ସି.ସି.ର କ୍ୟାଡେଟ୍ ସଂଖ୍ୟା ୬୦ ହଜାର ରହିଛି। ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍ସିସି ଶାଖା ପ୍ରତିଷ୍ଠା କରାଯିବ। କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ। ଏହା ସହିତ କୋରାପୁଟରେ ଏନ୍ସିସିର ଗ୍ରୁପ୍ ହେଡ୍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ।
ଝାରସୁଗୁଡ଼ା ଏୟାରପୋର୍ଟରେ ଏନ୍ସିସି ପିଲାମାନଙ୍କୁ ବିମାନ ଉଡାଣ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି। ଏଥିପାଇଁ ସେଠାରେ ଏକ ହ୍ୟାଙ୍ଗର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଏନ୍.ସି.ସି.ର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.