ଭୁବନେଶ୍ବର: ୯ମାସ ପରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ନିଲମ୍ବନ ହଟିବା ପରେ ସୁର ପୁଣି ଦଳକୁ ଫେରିଛନ୍ତି । ଭକ୍ତ ଦାସ ନୂଆ ପିସିସି ସଭାପତି ହେବା ପରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ଯେଉଁମାନଙ୍କୁ ଦଳରୁ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରାଯାଇଥିଲା । ଏହାସହ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡି ଚାଲିଯାଇଛନ୍ତି, ସେମାନେ ପୁଣି ଦଳକୁ ଫେରି ଆସିବାକୁ ନିବେଦନ କରାଯାଇଥିଲା । ଏହାପରେ ସୁର ରାଉତରାୟ କଂଗ୍ରେସକୁ ବାହୁଡିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ସୁରଙ୍କ ପରେ ଦଳକୁ ଫେରିବେ କିଏ?
ଫେରିଲେ ସୁର
କଂଗ୍ରେସକୁ ଫେରି ଭାବବିହ୍ବଳ ହେଲେ ବରିଷ୍ଠ ନେତା ସୁର ରାଉତରାୟ । କଂଗ୍ରେସ ଭବନକୁ ମୁଣ୍ଡିଆ ମାରି ଭିତରକୁ ଆସିଥିଲେ । କଂଗ୍ରେସ ଭବନ ତାଙ୍କର ମନ୍ଦିର । ତାଙ୍କୁ ଅନ୍ୟାୟରେ କାଢି ଦିଆଯାଇଥିଲା । ତେବେ ଦଳକୁ ଫେରି ସେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୯ମାସ ଧରି ସେ ଯନ୍ତ୍ରଣା ଭୋଗିଛନ୍ତି ହେଲେ କେବେ ସଂଗଠନ ଛାଡିନଥିବା ସୁର କହିଛନ୍ତି । ଦଳରେ ଆଉ କନ୍ଦଳ ରହିବନି, ସମସ୍ତେ ମିଳିମିଶି ସଂଗଠନ ପାଇଁ କାମ କରିବେ ବୋଲି କହିଛନ୍ତି । ବିଶୃଙ୍ଖଳା ଓ ଦଳବିରୋଧୀ କାମ ପାଇଁ ଗତବର୍ଷ ଏପ୍ରିଲ ୧୫ରେ ସୁରଙ୍କୁ କଂଗ୍ରେସରୁ ୬ବର୍ଷ ପାଇଁ ବହିଷ୍କାର କରିଥିଲା ଏଆଇସିସି ।
ସୁରଙ୍କ ପରେ କିଏ?
ବରିଷ୍ଠ ନେତା ସୁର ରାଉତରାୟଙ୍କ କଂଗ୍ରେସ ବାହୁଡା ପରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୦୬ ଉପନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାରୁ ପ୍ରଫୁଲ୍ଲ ମାଝୀ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ କଂଗ୍ରେସ ଟିକେଟରେ ୨୦୦୯ ଓ ୨୦୧୪ରେ ବିଧାୟକ ହୋଇଥିଲେ । ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ହାରିଥିଲେ । ଏହାପରେ ସେ କଂଗ୍ରେସ ଛାଡି ୨୦୨୧ ଡିସେମ୍ବର ୬ତାରିଖରେ ବିଜେଡିରେ ସାମିଲ ହୋଇଥିଲେ । ତେବେ ବିଜେଡି ତାଙ୍କୁ ୨୦୨୪ରେ ତଳସରାରୁ ପ୍ରାର୍ଥୀ କରିନଥିଲା । ପରେ ଦଳ ବିରୋଧୀ କାମ ପାଇଁ ତାଙ୍କୁ ବିଜେଡିକୁ ନିଲମ୍ବନ କରିଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ । ତେବେ ପୁଣି ପ୍ରଫୁଲ୍ଲ ମାଝୀ କଂଗ୍ରେସକୁ ଫେରିପାରନ୍ତି ବୋଲି କୁହାଯାଉଛି ।
ପୁଣି ହାତ ଧରିବେ ପୁରୁଣା ନେତା !
କେବଳ ପ୍ରଫୁଲ୍ଲ ମାଝୀ ନୁହନ୍ତି ଅନେକ ବରିଷ୍ଠ କଂଗ୍ରେସ ନେତା ନିର୍ବାଚନ ପୂର୍ବରୁ ହାତ ଛାଡି ଅନ୍ୟ ଦଳକୁ ଚାଲିଯାଇଥିଲେ । ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ତେବେ ସେଠାରେ ତାଙ୍କୁ ଟିକେଟ୍ ମିଳିନଥିଲା । ସୁରେନ୍ଦ୍ର ସିଂ ଭୋଇ, ପ୍ରଦୀପ ମାଝୀ, ଅଂଶୁମାନ ମହାନ୍ତିଙ୍କ ଭଳି ନେତା ବିଜେଡିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢି ହାରିଥିଲେ । ରାଜେନ୍ଦ୍ର ଛତ୍ରିଆ କୁଚିଣ୍ଡାରୁ ହାରିଥିଲେ ତ ପ୍ରକାଶ ବେହେରା ବାରବାଟୀ କଟକରୁ ହାରିଥିଲେ । ପୂର୍ବତନ ବିଧାୟକ ଭୁପିନ୍ଦର ସିଂ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ତେବେ ଏଥର ନର୍ଲାରୁ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ବିଜେଡିର ପରାଜୟ ପରେ ଅସନ୍ତୋଷ ଜାହିର କରିଥିଲେ ଭୁପିନ୍ଦର । ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ କଂଗ୍ରେସ ଛାଡି ଚାଲିଯାଇଥିଲେ । ତେଣୁ ପିସିସିର ନିବେଦନ ପରେ କିଛି ବରିଷ୍ଠ ନେତା ଦଳକୁ ଫେରିବା ନେଇ ଚର୍ଚ୍ଚା ହେଉଛି ।
କଂଗ୍ରେସରେ ବିଭିନ୍ନ ସମୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ନେତା ଓ କର୍ମୀଙ୍କ ଉପରୁ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରିବା ଭକ୍ତ ଦାସଙ୍କ ମାଷ୍ଟରଷ୍ଟ୍ରୋକ୍ ହୋଇପାରେ । ଏହାସହ ପୁରୁଣା ନେତାଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ସେ ବାଟ ଖୋଲିଛନ୍ତି । ଯଦି ଅନ୍ୟ ଦଳରେ ଅସନ୍ତୁଷ୍ଟ ରହିଥିବା ପୁରୁଣା କଂଗ୍ରେସ ନେତା ଦଳକୁ ଫେରନ୍ତି, ତେବେ ହାତ ଆହୁରି ସୁଦୃଢ ହେବ । କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୁଟାଇ ସବୁ ନେତାଙ୍କୁ ଏକଜୁଟ୍ କରିପାରିଲେ ପୁଣି ରାଜ୍ୟରେ ଦଳ ଅଚ୍ଛେ ଦିନ୍ ଫେରିପାରିବ ।
Comments are closed.