ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବ ତାତି। ଆସନ୍ତା ୩ ଦିନ ଯାଏ ପାଗ ପୂରା ଶୁଖିଲା ରହିବ। ଏହା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି। ଆଗକୁ ବଢିବ ତାପମାତ୍ରା, ଅସମ୍ଭାଳ ହେବ ତାତି। ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ।
ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି। ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଏହାସହ ସ୍କୁଲ ପରିସରରେ ଥିବା ନଳକୂପ ଯଦି ଖରାପ ହୋଇଥାଏ, ତାହେଲେ ତାକୁ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ କର୍ତ୍ତପକ୍ଷ ଯଥେଷ୍ଟ ଓଆରଏସ୍ ପ୍ୟାକେଟ୍ ରଖିବେ ଓ ଦରକାର ବେଳେ ଛାତ୍ରଛାତ୍ରୀଙ୍କୁ ପିଇବାକୁ ଦେବେ ।
ସ୍କୁଲ ସମୟରେ ବାହାରେ ପିଲାମାନେ ଯେପରି ନବୁଲିବେ ସେଥିପ୍ରତି ଶିକ୍ଷକଓ ଶିକ୍ଷୟିତ୍ରୀମାନେ ଧ୍ୟାନ ରଖିବେ। ସେହିପରି ପିଲାଏ ସ୍କୁଲ ଗଲାବେଳେ ଯେପରି ପାଣି ବୋତଲ ନେଇ ଯିବେ, ତାହା ସୁନିଶ୍ଚିତ କରାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ସ୍କୁଲ ସମୟରେ ହିଟ୍ ୱେଭରୁ ବର୍ତିବାର ଉପାୟ ବିଷୟରେ ପିଲାମାନଙ୍କୁ ସ୍କୁଲ କର୍ତ୍ତପକ୍ଷ ସଚେତନ କରାଇବେ।
ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ବୌଦ୍ଧରେ ସର୍ବାଧିକ ୩୬.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ରାତି ତାପମାତ୍ରା ସର୍ବନିମ୍ନ ୧୪.୧ ଡିଗ୍ରୀ ସେଲସିୟସ୍ ରହିଥିଲା।
ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି ଓ ପାଣିପାଗ ସମନ୍ବିତ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଫସଲ ଓ ପ୍ରାଣୀଧନ ସୁରକ୍ଷା ପାଇଁ ମାର୍ଗଦର୍ଶିକାରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ବିଶେଷକରି ଗ୍ରୀଷ୍ମକାଳୀନ ଝଡ଼ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
Comments are closed.