Latest Odisha News

BREAKING NEWS

ବାୟା କଲା ମଦ, ନିଶାରେ କନିଆ ବଦଳରେ କନିଆ ସାଙ୍ଗକୁ ବରଣମାଳା ପିନ୍ଧାଇଲା ବର

ଲକ୍ଷ୍ନୌ: ବାହାଘର ବେଳେ ହାଇଡ୍ରାମା । ମଦୁଆ ବରର କାଣ୍ଡ ଦେଖି ମୁଣ୍ଡରେ ହାତ ଦେଲେ ଲୋକେ । କନିଆ ବଦଳରେ କନିଆର ସାଙ୍ଗ ବେକରେ ବରଣମାଳା ଗଳେଇଲା ବର । ସେ ବି ପୁଣା ନିଶାରେ ଚୁର୍ ହୋଇ । ଉତ୍ତର ପ୍ରଦେଶ ବରେଲିରୁ ସାମ୍ନାକୁ ଆସିଛି ଏହି ଅଜବ ଘଟଣା । ବାହା ହେବାକୁ ଆସିଥିବା ମଦୁଆ ବରକୁ ହେବାକୁ ପଡିଛି ହଟହଟା ।

ସୂଚନା ଅନୁସାରେ, ବରେଲି ଜିଲ୍ଲା ନବାବଗଞ୍ଜ ତହସିଲ କ୍ୟୋଲଡିଆ ଗାଁରେ ଏକ ଝିଅର ବାହାଘର ଚାଲିଥିଲା । ବିବାହ ପ୍ରୋସେସନ୍ କରି କନିଆ ଘରକୁ ଆସିଥିଲେ ବରଯାତ୍ରୀ । ଏହି ସମୟରେ, ବର ରବୀନ୍ଦ୍ର କୁମାରଙ୍କ ସାଙ୍ଗମାନେ ତାକୁ ପ୍ରଚୁର ମଦ୍ୟପାନ କରାଇ ଦେଇଥିଲେ । ବର ବି ମଦ ପିଇ ନିଶାରେ ଚୁର୍ ହୋଇଥିଲା । ଏହାପରେ ବାହାଘର ଆରମ୍ଭ ହେଲା । କିନ୍ତୁ ବରଣମାଳା ଆଦାନ ପ୍ରଦାନ ବେଳେ ଘଟିଲା ଅଜବ ଘଟଣା । ନିଶାରେ ଚୁର୍ ଥିବା ବର କିଏ କନିଆ ବୋଲି ଜାଣିପାରିଲାନି । ନିଶାରେ ଟଳମଳ ହେଇ କନିଆ ବଦଳରେ କନିଆ ସାଙ୍ଗ ବେକରେ ବରଣମାଳା ପକେଇଦେଲା ।

ଏଥିରେ ରାଗିଯାଇ କନ୍ୟା ବରକୁ ଏକ ଶକ୍ତ ଚାପୁଡ଼ା ମାରିବା ସହ ଏପରି ମଦୁଆ ବ୍ୟକ୍ତିକୁ ବାହା ହେବାକୁ ରୋକ୍‌ ଠୋକ୍ ମନା କରି ମଞ୍ଚ ଛାଡ଼ି ପଳାଇଥିଲା । ଏହାପରେ ଆରମ୍ଭ ହୋଇଗଲା ହଙ୍ଗାମା । ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । କଥା ଏତେ ବଢିଗଲା ଯେ ରବିବାର ଦିନ ଏହି ମାମଲା ପୋଲିସ ପାଖରେ ପହଞ୍ଚିଲା । ଶାନ୍ତି ରକ୍ଷା ପାଇଁ ପୋଲିସ ବରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବରକୁ ମଦ ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଶେଷରେ ମଦ ପାଇଁ ବିବାହ ବାତିଲ୍ ହୋଇଯାଇଛି ।

Comments are closed.