ଭୁବନେଶ୍ୱର: ଦୁଇ ତିନି ହେଲାଣି ରାଜ୍ୟରେ ଯେପରି ଅଗ୍ନିବର୍ଷା ହେଉଛି। ଦିନ ୧୦ ଟାରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଆଜି ଦିନ ୧୧ ସୁଦ୍ଧା ତାପମାତ୍ରା ୩୭ ଡେଇଁଥିବା ବେଳେ ଦିନ ସାଢେ଼ ୨ଟା ସୁଦ୍ଧା ୪୧ ପାର କରୁଛି ତାପମାତ୍ରା।
ସାଢେ଼ ୨ ସୁଦ୍ଧା ୪୧.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତପ୍ତ ସହର। ସେହିପରି ରାଉରକେଲା ୩୯.୮, ସମ୍ବଲପୁର ୩୯, ହୀରାକୁଦ ୩୮.୪ ଡିଗ୍ରୀ, କେନ୍ଦୁଝର ଓ ଚାନ୍ଦବାଲି ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରିଛି।
ସେପଟେ ୧୮ ତାରିଖ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ । ରାଜ୍ୟରେ ଏଭଳି ହିଟ ୱେଭ ଓ ୱାର୍ମ ନାଇଟ ଲାଗି ରହିବ । ରାଜ୍ୟରେ ଆହୁରି ୨ ଦିନ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରବିବାରଠାରୁ ୩ ଜିଲ୍ଲା ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବୋଚ୍ଚ ତାମମାତ୍ରା ସ୍ବାଭାବିକ ଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ୧୮ ତାରିଖ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ତେବେ ଗତ କାଲି ଅପେକ୍ଷା ଆଜି ଟିକେ କମ ଅଛି ତାପମାତ୍ରା। ଗତକାଲି ତ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା। ସେହିପରି ସାଢ଼େ ୨ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧.୮ ଡିଗ୍ରୀ, ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରୀ, ଭୁବନେଶ୍ଵରରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ ଏବଂ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ଛୁଇଁଥିଲା । ଆଉ ୪୦ ଡିଗ୍ରୀ ଉପରେ ଥିଲା ୧୩ ସହର।
Comments are closed.