Latest Odisha News

ନୂଆ ରେକର୍ଡ ଯୋଡ଼ି ଚାଲିଛି ହଳଦିଆ ଧାତୁ, ଲକ୍ଷେ ଛୁଇଁବ ସୁନା ଦର

ନୂଆଦିଲ୍ଲୀ: ଆକାଶ ଛୁଆଁ ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ନୂଆ ରେକର୍ଡ ଯୋଡ଼ି ଚାଲିଛି ସୁନା। ମାର୍ଚ୍ଚ ୧୫ରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୩୦୦୦ ଡଲାର ପାର୍‌ କରିଛି। ମାର୍ଚ୍ଚ ୨୦ରେ ଭାରତରେ ଏହା ୩,୦୩୭ ଡଲାରରେ କାରବାର କରୁଛି।

ସମ୍ପ୍ରତି ଭାରତୀୟ ବଜାରରେ ୧୦ ଗ୍ରାମ ପିଛା ୯୯.୯% ଶୁଦ୍ଧତାବିଶିଷ୍ଟ ସୁନା ଦର ୯୧,୦୦୦ ଟଙ୍କା ପାର୍‌ କରିଛି । ଏଭଳି ସ୍ଥିତିରେ ସୁନା ନିବେଶକଙ୍କ ପାଇଁ ଏବେ ସୁବର୍ଣ୍ଣ ବେଳା। ଚଳିତବର୍ଷ ଏହି ଧାତୁ ଲକ୍ଷେ ଛୁଇଁବା ନେଇ ଆକଳନ କରୁଛନ୍ତି ବଜାର ବିଶେଷଜ୍ଞ। ନିବେଶକଙ୍କ ପୋର୍ଟଫୋଲିଓରେ ସବୁଠାରୁ ଉତ୍ତମ ପ୍ରଦର୍ଶନକାରୀ ଆସେଟ୍‌ ପାଲଟିଛି ସୁନା। ଗତବର୍ଷ ସୁନା ଦେଇଥିଲା ୩୩%ରୁ ଅଧିକ ରିଟର୍ଣ୍ଣ।

ଇକ୍ୱିଟି ନିବେଶ ତୁଳନାରେ ସୁନାରେ ନିବେଶ ଭଲ ଲାଭ ଦେଇଛି। ଏ ବର୍ଷ ଏଯାବତ୍‌ ସୁନା ଦର ୧୪% ବଢ଼ିଲାଣି । ଅନ୍ୟାନ୍ୟ ଆସେଟ୍‌ଗୁଡ଼ିକ ତୁଳନାରେ ସୁନା ଦର ସବୁଠାରୁ ଦ୍ରୁତ ବେଗରେ ମାଡ଼ିଚାଲିଛି । ମାତ୍ର ୨୧୦ ଦିନରେ ଏହା ଆଉନ୍ସ ପିଛା ୨,୫୦୦ ଡଲାରରୁ ୩,୦୦୦ ଡଲାରରେ ପହଞ୍ଚିଲାଣି ।

ଅନ୍ୟପଟେ ଗତକାଲି ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୯୦୬୨.୩ ଟଙ୍କା, ଯାହା ୪୪୦ ଯଙ୍କା ବୃଦ୍ଧି ହୋଇଛି । ସେହିପରି ଭାରତରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୮୩୦୮.୩ ଟଙ୍କା ଥିଲା, ଯାହା ପୂର୍ବ ଅପେକ୍ଷା ୪୦୦ ଟଙ୍କାଙ୍କୁ ବୃଦ୍ଧି ହୋଇଛି। ଗତ ସପ୍ତାହରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇ ୧.୦୭% ବୃଦ୍ଧି ରେକର୍ଡ କରାଯାଇଛି। ଆଉ ଗତ ମାସ ଭିତରେ ଏହା ୨.୮୯% ବୃଦ୍ଧି ଘଟିଛି।

Comments are closed.