ନୂଆଦିଲ୍ଲୀ: ମିଆଁମାରରେ ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ, ଭୂବିଜ୍ଞାନୀ ଜେସ୍ ଫିନିକ୍ସଙ୍କ ମତରେ, ଏହାର ଶକ୍ତି ପ୍ରାୟ ୩୩୪ଟି ପରମାଣୁ ବୋମାର ସମୂହ ବିସ୍ଫୋରଣ ସହ ସମାନ। ସିଏନ୍ଏନ୍କୁ ଦେଇଥିବା ସାକ୍ଷାତ୍କାରରେ ସେ ଆଗକୁ ମାସ ମାସ ଧରି ଏହି ଅଞ୍ଚଳରେ ଆଫଟରସକ୍ (ପରବର୍ତ୍ତୀ ଝଟକା) ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
ସଂଯୁକ୍ତ ରାଷ୍ଟ୍ର ଭୂବିଜ୍ଞାନ ସର୍ଭେ (ୟୁଏସ୍ଜିଏସ୍) ଅନୁସାରେ, ଭୂକମ୍ପର କେନ୍ଦ୍ରବିନ୍ଦୁ ମିଆଁମାର ମାଣ୍ଡାଲେ ସହରରେ ଥିଲା ଏବଂ ଏହା ମାଟି ତଳୁ ମାତ୍ର ୧୦ କିଲୋମିଟର ଗଭୀରତାରେ ଦିନ ଦ୍ବିପ୍ରହରରେ ଘଟିଥିଲା। ସ୍ଥାନୀୟ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୧,୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୟୁଏସ୍ଜିଏସ୍ର ଆକଳନ ଅନୁସାରେ, ମୃତ୍ୟୁ ସଂଖ୍ୟା ୧୦,୦୦୦ ଟପିପାରେ। ଦେଶରେ ଚାଲିଥିବା ଗୃହଯୁଦ୍ଧ ଓ ସଂଚାର ସେବାର ବ୍ୟାପକ ବାଧା ଯୋଗୁଁ ଏହି ବିପର୍ଯ୍ୟୟର ପୂର୍ଣ୍ଣ ପ୍ରଭାବ ଜାଣିବା କଷ୍ଟକର ହୋଇପଡୁଛି। ଫିନିକ୍ସଙ୍କ ମତରେ, ଚଳିତ ସଂଘର୍ଷ ଯୋଗୁଁ ମ୍ୟାନମାରରେ ପରିସ୍ଥିତି ଆହୁରି ଖରାପ ହୋଇପାରେ, କାରଣ ବାହାର ଦୁନିଆକୁ କ୍ଷୟକ୍ଷତିର ସଠିକ୍ ଚିତ୍ର ମିଳିବାରେ ଅସୁବିଧା ହେଉଛି।
ଏହାରି ମଧ୍ୟରେ ଆନ୍ତର୍ଜାତୀୟ ସାହାଯ୍ୟ ମିଆଁମାରବାସୀଙ୍କ ନିକଟରେ ପହଞ୍ଚିବା ଆରମ୍ଭ ହୋଇଛି। ଭାରତ ମଧ୍ୟ ଏକ ସର୍ଚ୍ଚ ଅପରେସନ ଟିମ୍ ସହିତ ଉଦ୍ଧାରକାରୀ ଟିମ୍, ମେଡିକାଲ ଟିମ୍ ପଠାଇଛି । ଯେଉଁମାନେ କମ୍ବଳ, ସ୍ୱଚ୍ଛତା କିଟ୍, ସ୍ଲିପିଂ ବ୍ୟାଗ୍, ସୋଲାର ଲ୍ୟାମ୍ପ, ଖାଦ୍ୟ ପ୍ୟାକେଟ୍ ଓ ରୋଷେଇ ସାମଗ୍ରୀ ଭଳି ଜରୁରୀ ଜିନିଷ ନେଇ ଯାଇଛନ୍ତି। ସେହିପରି ଚୀନର ଯୁନ୍ନାନ୍ ପ୍ରଦେଶରୁ ୩୭ ଜଣିଆ ଏକ ଦଳ ଯାଙ୍ଗୁନ୍ରେ ପହଞ୍ଚିଛି। ଏହି ଦଳ ଜୀବନ ରକ୍ଷା ଡିଟେକ୍ଟର, ଭୂକମ୍ପ ଚେତାବନୀ ସିଷ୍ଟମ ଓ ଡ୍ରୋନ୍ ଭଳି ଜରୁରୀ ଉପକରଣ ସହ ଚିକିତ୍ସା କାର୍ଯ୍ୟରେ ସହାୟତା କରୁଛି।
Comments are closed.