Latest Odisha News

BREAKING NEWS

ଭାରତର ଏହି ସ୍ୱଦେଶୀ ବ୍ରାଉଜର୍ କ୍ରୋମ୍-ଫାୟାରଫକ୍ସକୁ ଦେବ ଟକ୍କର

ନୂଆଦିଲ୍ଲୀ: ଡିଜିଟାଲ୍ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଭାରତ ବର୍ତ୍ତମାନ ଅଣ୍ଟା ଭିଡିଛି । ନିକଟରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ମାଧ୍ୟମରେ ଦେଶର ନିଜସ୍ୱ ୱେବ୍ ବ୍ରାଉଜର ସୃଷ୍ଟି କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି । ବିଶ୍ୱ ଖୁସି ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ୱେବ୍ ବ୍ରାଉଜର ବିକାଶ ଚ୍ୟାଲେଞ୍ଜ (IWBDC) ର ବିଜେତା ଘୋଷଣା କରିଛନ୍ତି। ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ପୂରା କରିବା ଦିଗରେ ଏହା ଏକ ବଡ ପଦକ୍ଷେପ , ଯାହାର ଉଦ୍ଦେଶ୍ୟ ହେଉଛି ଭାରତକୁ ଏକ ‘ସେବା ରାଷ୍ଟ୍ର’ ରୁ ‘ଉତ୍ପାଦ ରାଷ୍ଟ୍ର’ରେ ପରିଣତ କରିବା।

ଏହି ଚ୍ୟାଲେଞ୍ଜରେ ଦେଶର ଷ୍ଟାର୍ଟଅପ୍, ଛାତ୍ର ଏବଂ ଗବେଷକମାନେ ଅଂଶଗ୍ରହଣ କରିଥିଲେ । ଏଥିର ସମୁଦାୟ ୪୩୪ଟି ଦଳ ଅଂଶଗ୍ରହଣ କରିଥିଲେ । ତିନୋଟି ପର୍ଯ୍ୟାୟ ଆଇଡିଆ, ପ୍ରୋଟୋଟାଇପ୍ ଏବଂ ପ୍ରଡକ୍ଟ ବନେଇବା ପରେ ଆଠଟି ଦଳ ଶେଷରେ ଫାଇନାଲରେ ପ୍ରବେଶ କରିଥିଲେ । ତେବେ Zoho ଜୋହୋ କର୍ପୋରେସନ୍ ଏଥିରେ ପ୍ରଥମ ସ୍ଥାନ ହାସଲ କଲା, ଯିଏ ଏକ କୋଟି ଟଙ୍କା ପୁରସ୍କାର ପାଇଛି । ଯେଉଁଠାରେ ଷ୍ଟାର୍ଟଅପ୍ ଟିମ୍ PING ପିଙ୍ଗ୍ ଦ୍ୱିତୀୟ ଏବଂ ଦଳ Ajna ଅଜନା ତୃତୀୟ ସ୍ଥାନରେ ରହିଥିଲେ, ସେମାନଙ୍କୁ ୭୫ ଲକ୍ଷ ଟଙ୍କା ଏବଂ ୫୦ଲକ୍ଷ ଟଙ୍କା ଦିଆଯାଇଥିଲା। ବିଶେଷ କଥା ହେଉଛି ବିଜେତା ଦଳ ଟାୟାର-୨ ଏବଂ ଟାୟାର -୩ ସହରରୁ ଆସିଥିଲେ, ଯାହା ଦର୍ଶାଏ ଯେ ଭାରତର ପ୍ରତିଭା ଆଉ ବଡ ସହରରେ ସୀମିତ ନୁହେଁ।

ଅଜନା ସଂସ୍ଥାପକ ବିନୟ ସିଂ କହିଛନ୍ତି ଯେ, ଏହି ସଫଳତା ଭାରତ ପାଇଁ ଏକ ନିରାପଦ ତଥା ଆତ୍ମନିର୍ଭରଶୀଳ ୱେବ୍ ଅଭିଜ୍ଞତା ସୃଷ୍ଟି କରିବାକୁ ଆମର ସଂକଳ୍ପକୁ ଆହୁରି ଦୃଢ କରିଛି । ଆମର ଲକ୍ଷ୍ୟ ହେଉଛି ଦେଶକୁ ଡିଜିଟାଲ୍ ରୂପରେ ଆତ୍ମନିର୍ଭରଶୀଳ କରିବା ଏବଂ ଆମେ ଆମର ଉତ୍ପାଦକୁ ଆହୁରି ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଛୁ। ସେ ଏହା ମଧ୍ୟ କହିଛନ୍ତି ଯେ, ସ୍ୱଦେଶୀ ବ୍ରାଉଜରର ବିକାଶ ଆବଶ୍ୟକ କାରଣ ଅନେକ ଅନ୍ତର୍ଜାତୀୟ ବ୍ରାଉଜର ଭାରତୀୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ସମ୍ବନ୍ଧୀୟ ଅନୁରୋଧକୁ ଅଣଦେଖା କରୁଛନ୍ତି। ଏହା ବ୍ୟତୀତ, ଯଦି ଭବିଷ୍ୟତରେ ଗୁଗୁଲ୍ କିମ୍ବା ଅନ୍ୟ ବିଶ୍ୱସ୍ତରୀୟ ବୈଷୟିକ କମ୍ପାନୀଗୁଡିକ ଭାରତୀୟ ବ୍ୟବହାରକାରୀଙ୍କ ସେବାକୁ ସୀମିତ କରନ୍ତି, ତେବେ ଦେଶର ନିଜର ସ୍ବତନ୍ତ୍ର ଏବଂ ସୁରକ୍ଷିତ ବ୍ରାଉଜର ରହିବା ଆବଶ୍ୟକ।

Comments are closed.