ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପ୍ରତିଦିନ ପ୍ରାୟ ୨ କୋଟି ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇଥାଏ ଏବଂ ଦେଶରେ ୭ ହଜାରରୁ ଅଧିକ ଟ୍ରେନ୍ ଚାଲୁଛି। କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ, ଭାରତରେ ଏପର୍ଯ୍ୟନ୍ତ ଏକ ରେଳପଥ ଏମିତି ରହିଛି, ଯାହା ଭାରତ ସରକାରଙ୍କ ଅଧୀନରେ ନାହିଁ, ବରଂ ଏକ ବ୍ରିଟିଶ କମ୍ପାନୀ ଏହାର ମାଲିକାନା ରହିଛି। ଭାରତ ୭୫ ବର୍ଷ ପୂର୍ବେ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇଥିଲେ ମଧ୍ୟ ଏହି ଘଟଣା ଅବିଶ୍ୱାସ ଲାଗୁଛି।
ଏହି ରେଳପଥ ହେଉଛି ଶକୁନ୍ତଳା ରେଳବାଇ ଟ୍ରାକ୍, ଯାହା ଭାରତର ଏକମାତ୍ର ରେଳଲାଇନ୍ ଯାହାର ମାଲିକାନା ଏକ ବିଦେଶୀ ସଂସ୍ଥା ପାଖରେ ରହିଛି। ବ୍ରିଟିଶ କମ୍ପାନୀ କ୍ଲିକ୍-ନିକ୍ସନ୍ ଦ୍ୱାରା ନିର୍ମିତ ଏହି ଟ୍ରାକ୍ ଔପନିବେଶିକ ଯୁଗର ଏକ ସ୍ମାରକୀ। ବର୍ତ୍ତମାନ ଭାରତୀୟ ରେଳବାଇ ଏହି ଶକୁନ୍ତଳା ରେଳପଥକୁ ଅଧିଗ୍ରହଣ କରିବାର ପ୍ରକ୍ରିୟାରେ ରହିଛି, ଯାହା ଏବେ ମଧ୍ୟ ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ରେଳୱେ କମ୍ପାନୀ (ସିପିଆରସି) ଅଧୀନରେ ରହିଛି।
ମହାରାଷ୍ଟ୍ରର ଯବତମାଳକୁ ଅଚଳପୁର ସହ ସଂଯୋଗ କରୁଥିବା ଏହି ରେଳପଥର ଦୈର୍ଘ୍ୟ ୧୯୦ କିଲୋମିଟର। ବ୍ରିଟିଶ ଶାସନ ସମୟରେ ଅମରାବତୀ ଓ ଯବତମାଳ ଅଞ୍ଚଳରୁ ମୁମ୍ବାଇ ବନ୍ଦରକୁ କପା ପରିବହନ ପାଇଁ ଏହା ନିର୍ମାଣ କରାଯାଇଥିଲା। ୧୯୦୩ ମସିହାରେ କ୍ଲିକ୍-ନିକ୍ସନ୍ ଆଣ୍ଡ କମ୍ପାନୀ ଦ୍ୱାରା ଗଠିତ ସିପିଆରସି ଏହି ଟ୍ରାକ୍ ନିର୍ମାଣ ଆରମ୍ଭ କରିଥିଲା ଏବଂ ୧୯୧୬ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା।
୧୯୪୭ରେ ଭାରତ ସ୍ୱାଧୀନତା ପାଇବା ପରେ ମଧ୍ୟ ଏହି ରେଳପଥର ମାଲିକାନା ବ୍ରିଟିଶ କମ୍ପାନୀ ପାଖରେ ରହିଥିଲା ଏବଂ ଏହା ଏହାକୁ ପରିଚାଳନା କରି ଆସୁଛି। ସ୍ୱାଧୀନତା ସମୟରେ ଭାରତୀୟ ରେଳବାଇ ସିପିଆରସି ସହ ଏକ ଚୁକ୍ତି କରିଥିଲା । ଏହି ଚୁକ୍ତି ଅନୁଯାୟୀ କମ୍ପାନୀକୁ ପ୍ରତିବର୍ଷ ରୟାଲଟି ପ୍ରଦାନ କରାଯାଏ। ରିପୋର୍ଟ ଅନୁସାରେ, ଭାରତୀୟ ରେଳବାଇ ପ୍ରତିବର୍ଷ ୨ରୁ ୩ କୋଟି ଟଙ୍କା ରୟାଲଟି ଦେଇଥାଏ। ବିଗତ ବର୍ଷଗୁଡ଼ିକରେ ଏହି ଟ୍ରାକ୍ କିଣିବା ପାଇଁ ଏକାଧିକ ପ୍ରସ୍ତାବ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଫଳବ୍ରତ ହୋଇପାରିନଥିଲା।
ବର୍ତ୍ତମାନ ଏହି ରେଳପଥକୁ ଅଧିଗ୍ରହଣ କରିବାର ପ୍ରକ୍ରିୟା ଚାଲିଛି ଏବଂ ଏହାକୁ ବ୍ରଡ଼ଗେଜ୍ରେ ରୂପାନ୍ତରିତ କରିବାର ଯୋଜନା ରହିଛି। ଅଧିଗ୍ରହଣ ପୂର୍ବରୁ ସିପିଆରସି ୧୨ରୁ ୧୬ କୋଟି ଟଙ୍କା ରୟାଲଟି ଦାବି କରୁଛି। ଏହି ଅଧିଗ୍ରହଣ ଆର୍ଥିକ ବର୍ଷ ୨୦୨୫-୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି।
Comments are closed.