ପୁରୀ: ପୁରୀରେ ଜମୁଛି ପାରମ୍ପରିକ ସାହିଯାତ । ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତ ରାମାୟଣ କଥାବସ୍ତୁ ଉପରେ ଆଧାରିତ । ଏହା ଏକ ଭାଇଚାରାର ପ୍ରତୀକ । ଗୋଟିଏ ସାହିରୁ ଅନ୍ୟ ଏକ ବନ୍ଧୁସାହିକୁ ସାହିଯାତ ବାହାରିଥାଏ । ଏଣୁ ରାମଜନ୍ମ ଠାରୁ ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖଡା ଚଳଚଞ୍ଚଳ ହୋଇଉଠିଛି । ବୀରବାଦ୍ୟର ତାଳେ ତାଳେ ରାମନବମୀ ସଂନ୍ଧ୍ୟାରେ କାଳିକାଦେବୀ ସାହିରୁ ମାଟିମଣ୍ଡପ ସାହିକୁ ଯାଇଥିଲା ସାହିଯାତ । ପ୍ରଥମ ଦିନରେ ଯଜ୍ଞରକ୍ଷା ନୀତି ସମ୍ପନ୍ନ ହେବା ପରେ ଦ୍ବିତୀୟ ଦିନରେ ଶିବଧନୁ ଭଙ୍ଗ ନୀତି ସମ୍ପନ୍ନ ହୋଇଥିଲା । ସେହିପରି ତୃତୀୟ ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା ସୀତା ବିବାହ ।
ଗତକାଲି ଚତୁର୍ଥ ସଂନ୍ଧ୍ୟାରେ ଶ୍ରୀରାମଙ୍କ ବନବାସ ଯାତ୍ରାର କଥାବସ୍ତୁ ସାହିଯାତରେ ଦେଖିବାକୁ ମିଳିଥିଲା । ମାର୍କଣ୍ଡେଶ୍ବର ସାହିର ଭଗବତୀକୋଟ ଆଖଡ଼ା ପକ୍ଷରୁ ସାହିଯାତ ବାହାରି ସାହି ପରିକ୍ରମା କରିଥିଲା । ସନ୍ଧ୍ୟା ଧୂପ ପରେ ଦକ୍ଷିଣିଘର ପୂଜା ହୋଇ ଆଜ୍ଞାମାଳ ବିଜେ ହୋଇଥିଲା । ପରେ ରାମ, ଲକ୍ଷ୍ମଣ, ସୀତା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ । ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ବନବାସ ଲୀଳା ଅନୁଷ୍ଠିତ ହୋଇଥିଲା । ପରମ୍ପରା ମୁତାବକ ପଟୁଆର ଦଳ ଏହି ନିର୍ଦ୍ଧିଷ୍ଟ ଦିନ ମର୍ୟ୍ୟାଦାପୁରୁଷଙ୍କ ବନବାସ ଯୋଗୁଁ ଦୁଃଖରେ ନିରବ ଶୋଭାଯାତ୍ରା କରନ୍ତି । ତେବେ ଯାତକୁ ଆକର୍ଷଣୀୟ କରିବା ପାଇଁ ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ମେଢ଼ ବାହାରିଥିଲେ । ରାମ, ଲକ୍ଷ୍ମଣ ଓ ସୀତାଙ୍କ ସମେତ ବୀରକର୍ଣ୍ଣ, ଦୁର୍ଗାମେଢ଼, କାଳୀମେଢ଼ ଓ ନାଗା ବାହାରିଥିଲା । ଏଥିରେ କୁନି ପିଲାଙ୍କ ନାଗାବେଶ ଧାରଣ ନୃତ୍ୟ ବେଶ ଆକର୍ଷଣୀୟ ରହିଥିଲା । ଆଉ ଆଜି ପଞ୍ଚମ ସଂନ୍ଧ୍ୟାରେ ସୀତାଚୋରି ଲୀଳା ଅନୁଷ୍ଠିତ ହେବ ।
ତେବେ ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ବା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥ ବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି । ଶ୍ରୀରାମ ନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ ଆଜ୍ଞାମାଳ ପାଇ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ରାମନବମୀ ଦିନଠାରୁ ପ୍ରତିଦିନ ଗୋଟିଏ ଗୋଟିଏ ଲୀଳା କରିଥାନ୍ତି ପ୍ରଭୁ । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ରାମ ବନବାସ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହେବା ପରେ ରାମାଭିଷେକ ଓ ପତିଆରା ହନୁମାନ ନୀତି ସହ ସାହିଯାତ ଶେଷ ହୋଇଥାଏ ।
ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.