Latest Odisha News

ସାବଧାନ୍! ଉଡିଯିବେ ୫୦କେଜିରୁ କମ୍ ଓଜନର ଲୋକ

ନୂଆଦିଲ୍ଲୀ:  ଆସୁଛି ମହାବାତ୍ୟା । ବାତ୍ୟା ଏତେ ଭୀଷଣ ହେବାକୁ ଯାଉଛି ଯେ, ୫୦କେଜିରୁ କମ୍ ଓଜନ ଥିବା ବ୍ୟକ୍ତିଙ୍କୁ ଉଡାଇ ନେବ । କିଛି ଏପରି ଆଲର୍ଟ ଜାରି କରିଛି ଚାଇନା । ଉତ୍ତର ଚୀନ୍ ଅତି ପ୍ରବଳ ଝଡ଼ର ସାମନା କରିବାକୁ ଯାଉଛି । ଝଡ ତୋଫାନ ସାଙ୍ଗକୁ ପବନ ଏତେ ମାତ୍ରାରେ ହେବ ଯେ, ଏହାଦ୍ବାରା ପରିବହନ ବାଧାପ୍ରାପ୍ତ ହୋଇଛି । ସାଧାରଣ ସ୍ଥାନଗୁଡ଼ିକୁ ବନ୍ଦ କରାଯାଇଛି । ଉଚ୍ଚ-ପ୍ରୋଫାଇଲ୍ କାର୍ଯ୍ୟକ୍ରମଗୁଡ଼ିକୁ ସ୍ଥଗିତ ରଖାଯାଇଛି, ଦୁର୍ଘଟଣାର ବିପଦକୁ ହ୍ରାସ କରିବା ପାଇଁ ବେଜିଂ କର୍ତ୍ତୃପକ୍ଷ ୪,୮୦୦ରୁ ଅଧିକ ଗଛକୁ କାଟିଛନ୍ତି, ଟ୍ରେନ୍ ବିମାନ ସବୁ ସେବାକୁ ବନ୍ଦ କରିବାକୁ ଆଲର୍ଟ ଜାରି କରିଛି ଚୀନ ପାଣିପାଗ ବିଭାଗ ।

ବିଶ୍ବ ଏବେ ଜଳବାୟୁ ପରିବର୍ତ୍ତନର କରାଳ ରୂପ ଦେଖୁଛି । କେଉଁଠି ଜାଳୁଛି, ତ କେଉଁଠି ବୁଡାଉଛି । ଆଉ ଉତ୍ତର ଚୀନରେ କିଛି ଅଂଶରେ ସ୍ଥିତି ପୂରା ସାଂଘାତିକ୍ । ବର୍ଷା ପବନ ଏବେ ଲୋକଙ୍କୁ ଘରୁ ବାହାରିବା ବନ୍ଦ କରିଦେଇଛି । ସ୍ଥିତି ଏପରି ହୋଇଛି, ଘରୁ ବାହାରିଲେ ଲୋକେ ଉଡିଯିବାର ଭୟ ରହିଛି । ଏହାକୁ ନେଇ ଚୀନ ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି । ଗତ କିଛି ଦିନ ହେବ ଚୀନ ଭୟଙ୍କର ପାଗ ପରିବର୍ତ୍ତନର ସମ୍ମୁଖୀନ ହୋଇଥିବା ବେଳେ ବେଜିଂ, ତିଆନଜିନ୍ ଏବଂ ହେବେଇ ପ୍ରଦେଶରେ ଶକ୍ତିଶାଳୀ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି। ପବନର ବେଗ ଏତେ ପ୍ରବଳ ଯେ ଲୋକେ ଉଡ଼ିଯିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଙ୍ଗୋଲିଆରୁ ଦକ୍ଷିଣ ଆଡ଼କୁ ଯାଉଥିବା ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ଉତ୍ତର ଚୀନରେ ପ୍ରାୟ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପବନ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ସେଠାରେ ଝଡ ପରି ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପବନର ବେଗ ଏତେ ହେବ ଯେ, ଏହା ୫୦ କେଜିରୁ ତଥା ୧୧୦ ପାଉଣ୍ଡରୁ କମ୍ ଓଜନର ଲୋକଙ୍କୁ ଉଡାଇ ନେବାର ଆଶଙ୍କା ରହିଛି । ଏଥିପାଇଁ ଲକ୍ଷ ଲକ୍ଷ ଚୀନ ବାସୀଙ୍କୁ ଘରୁ ନବାହାରିବାକୁ ସତର୍କ କରାଇଛି ପାଣିପାଗ ବିଭାଗ । କିଛି ଅଞ୍ଚଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବେଜିଂ ଗତ ଦଶ ବର୍ଷ ମଧ୍ୟରେ ପ୍ରଥମ ଥର ପବନ ପାଇଁ ଏଭଳି ଅରେଞ୍ଜ ଆଲର୍ଟ ସତର୍କତା ଜାରି କରିଛି। ଯାହା ଚୀନର ଚାରି-ସ୍ତରୀୟ ସ୍କେଲରେ ଦ୍ୱିତୀୟ ସର୍ବୋଚ୍ଚ ସତର୍କତା । ଏଥିସହିତ କେବଳ ଗୋଟିଏ ଦିନରେ ତାପାମାତ୍ରା ରେକର୍ଡ ସଂଖ୍ୟକ ୧୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ନେଇ ପୂର୍ବାନୁମାନ ଜାରି କରିଛି । ବେଜିଂ ପାଣିପାଗ ସେବା କହିଛି, ଏହି ପ୍ରବଳ ପବନ ଅତ୍ୟନ୍ତ ଭୟଙ୍କର, ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ, ଯାହା ବିସ୍ତୃତ ଅଞ୍ଚଳକୁ ପ୍ରଭାବିତ କରିପାରେ ଏବଂ ଅତ୍ୟନ୍ତ ବିନାଶକାରୀ ହୋଇପାରେ । ଏଭଳି ପବନର ବେଗ ଶେଷ ଥର ପାଇଁ ୧୯୫୧ ଏପ୍ରିଲରେ ରେକର୍ଡ ହୋଇଥିଲା । କିନ୍ତୁ ଚଳିତ ଥରର ପବନ ତାହାର ବି ରେକର୍ଡ ଭାଙ୍ଗିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ ।

Comments are closed.