Latest Odisha News

BREAKING NEWS

ରାଜ୍ୟ ତଥା ଦେଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ !

ଭୁବନେଶ୍ୱର: ନବ ଉତ୍କଳର ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କେବଳ ଓଡିଶାର ନୁହଁନ୍ତି, ସେ ସମଗ୍ର ଭାରତ ବର୍ଷ ପାଇଁ ଗୁଣଗ୍ରାହୀ ବ୍ୟକ୍ତିତ୍ୱ ଥିଲେ । ଓଡିଆ, ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା, ରାଜ୍ୟ ତଥା ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ବୋଲି ଆଜି ସଂଧ୍ୟାରେ ତାଙ୍କର ୧୪୯ ତମ ରାଜ୍ୟସ୍ତରୀୟ ଜୟନ୍ତୀରେ ବିଶିଷ୍ଟ ବକ୍ତାମାନେ ପ୍ରକାଶ କରିଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ମୟୂରଭଂଜ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଯୋଗଦେଇ କହିଲେ ଯେ, ଆମ ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । କିନ୍ତୁ ଏହି ଭାଷା ଓ ସାହିତ୍ୟକୁ ବଂଚାଇ ରଖି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଯେଉଁମାନଙ୍କର ଯୋଗଦାନ ରହିଥିଲା, ତନ୍ମଧ୍ୟରେ ମୟୂରଭଂଜ ରାଜା ଶ୍ରୀରାମଚନ୍ଦ୍ର ଭଂଜ ଦେଓଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ରେଳପଥର ବିକାଶ ଆଦି କ୍ଷେତ୍ରରେ ତାଙ୍କର କାର୍ଯ୍ୟଧାରା ରାଜ୍ୟ ତଥା ଦେଶର ଅନ୍ୟ ଅଂଚଳର ନେତୃବର୍ଗଙ୍କ ପାଇଁ ଅନୁକରଣୀୟ ହୋଇଥିଲା ବୋଲି ସେ କହିବା ସହିତ ଦେଶ ଓ ଜାତି ପାଇଁ ଯେଉଁ ମନୀଷୀମାନଙ୍କର ଅବଦାନ ରହିଛି, ସେମାନଙ୍କ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଅଧ୍ୟୟନ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡଃ. ନାରାୟଣ ପଣ୍ଡା ଯୋଗଦେଇ ଶ୍ରୀରାମଚନ୍ଦ୍ର ଭଂଜଙ୍କ ଜୀବନାଦର୍ଶ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକ ପାତ କରି ଓଡିଶାର ସାରସ୍ୱତ ସାଧକମାନଙ୍କ ପ୍ରତି ମହାରାଜାଙ୍କର ଥିବା ଭଲ ପାଇବା, ଦେଶପ୍ରେମ, ଅତିଥିପରାୟଣତା, ଓଡିଆ ଭାଷା ଓ ସାହିତ୍ୟ ପାଇଁ ଅବଦାନ ଏବଂ ଗୁଣଗ୍ରାହୀ ବ୍ୟକ୍ତିତ୍ୱ ସଂପର୍କରେ କହିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ବର୍ତମାନ ଥିବା ଶ୍ରୀରାମଚନ୍ଦ୍ର ଭଂଜଙ୍କ ନାମରେ ନାମିତ କଟକ ବଡ ଡାକ୍ତରଖାନା ମହାରାଜାଙ୍କର ଅବଦାନ ବୋଲି ପ୍ରକାଶ କରିବା ସହିତ ୧୯୦୩ ମସିହାରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ଶ୍ରୀରାମଚନ୍ଦ୍ର ଭଂଜଦେଓ ସଭାପତିତ୍ୱ କରି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ ।

ଏହି ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୂଚନା ଅଧିକାରୀ ଶ୍ରୀମତୀ ସୁଚେତା ପ୍ରିୟଦଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମୟୂରଭଂଜ ସାଂସ୍କୃତିକ ସଂସଦର ସଂପାଦକ ତଥା ଉପ ଜିଲ୍ଲାପାଳ ଆଠମଲ୍ଲିକ ଡଃ. ରଜନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜନସାଧାରଣ ଯୋଗଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ ପରେ “ନାଦବ୍ରହ୍ମ” ଅନୁଷ୍ଠାନ ତରଫରୁ ଜଗନ୍ନାଥ କୁଅଁର ଓ ସାଥୀ କଳାକାରମାନେ ସ୍ୱାଗତ ସଂଗୀତ ,ମୟୂରଭଂଜର ପ୍ରସିଦ୍ଧ ଛଉନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ସକାଳେ ପାୱାର ହାଉସ୍ ଛକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡି, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଂଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ତଥା ଉତ୍କଳ ସମ୍ମିଳନୀର ସଦସ୍ୟ ଡଃ. ଲେନିନ୍ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ସଭାପତି ପ୍ରଫେସର ଡଃ. ଅଦୈତ୍ୟ କୁମାର ପାତ୍ର, ସାଧାରଣ ସଂପାଦକ ଅନନ୍ତ ପ୍ରସାଦ ଜେନା, ଉପ ସଭାପତି ଊଷାରାଣୀ ମହାନ୍ତି, ସଂପାଦକ ଜୟକୃଷ୍ଣ ଦାସ, ଶାନ୍ତିଲତା ସାହୁ, ଶଶାଙ୍କ ମହାନ୍ତି, ଆକୁଳ ସଂଗ୍ରାମ ସେଠୀ, ତ୍ରିଲୋଚନ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.